(Video) ଖସିବା ପରେ ହୁତୁ ହୁତୁ ହୋଇ ଜଳିଲା ବାୟୁ ସେନାର ଯୁଦ୍ଧ ବିମାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ଆଗ୍ରାରେ ବିମାନ ଖସିବା ପରେ ଭୂଇଁରେ ମାଡ ହୋଇ ସେଥିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଉଠିଥିଲା ବିମାନ । ତେବେ ସୌଭାଗ୍ୟକୁ ବିମାନରେ ଥିବା ପାଇଲଟ ଓ କୋ ପାଇଲଟ ଦୁର୍ଘଟଣା ପୂର୍ବରୁ ପାରାଚୁଟ ମାଧ୍ୟମରେ ବିମାନରୁ ଡେଇଁଥିଲେ । ଦୁର୍ଘଟଣାଠାରୁ ପ୍ରାୟ ୨ କିମି ଦୂରରେ ଖସିଥିଲେ ଦୁଇ ପାଇଲଟ ।

ରିପୋର୍ଟ ମୁତାବକ, ଆଇଏଏଫର ମିଗ ୨୯ ଏୟାର କ୍ରାଫ୍ଟ ପଞ୍ଜାବର ଆଦମପୁରରୁ ରୁଟିନ ଅଭ୍ୟାସ ପାଇଁ ଆଗ୍ରା ଅଭିମୁଖେ ଉଡାଣ ଭରିଥିଲା । ଆଗ୍ରାର କାଗାରୋଲରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ ଭିତରେ ଖସିପଡିଥିଲା । ବିମାନ ମାଟି ଛୁଇଁବା ପରେ ଏକ ଭୟଙ୍କର ଶବ୍ଦ କରି ହୁତୁହୁତୁ ହୋଇ ଜଳିଗଲା । ଦୁର୍ଘଟଣା ପରେ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।

ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିମାନ ନିଆଁରେ ଜଳୁଥିବା ବେଳେ ତାର ଚାରି ପାଖରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । କିଛି ଲୋକ ବିମାନର ଭଗ୍ନାଂଶ ଉଠଉଥିବା ଦେଖିବାକୁ ମିଳିଛି ଭିଡିଓରେ । ବିମାନ ଦୁର୍ଘଟଣାର ଖବର ପାଇ ତୁରନ୍ତ ସେଠାରେ ସେନା ଅଧିକାରୀ , ଡିଏମ ପହଞ୍ଚିଥିଲେ ।

ମିଗ ୨୯ ଋଷରେ ନିର୍ମିତ ଏକ ହାଇଟେକ୍ନିକ ଫାଇଟର ଜେଟ । ଆମେରିକା ସହଯୋଗୀ ଦେଶଙ୍କ ସଂଗଠନ ନାଟୋ ମିଗ୨୯କୁ ଫଳକ୍ରମ ନାଁ ଦେଇଛି , ଯାହାର ଭାରତୀୟ ଅର୍ଥ ଛଞ୍ଚାଣ । ୧୯୮୭ରେ ଭାରତୀୟ ବାୟୁ ସେନାରେ ଏହି ବିମାନକୁ ସାମିଲ କରାଯାଇଥିଲା ।