ନୂଆଦିଲ୍ଲୀ: ପୁଣିଥରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକପୂର୍ଣ୍ଣ ମେସେଜ ଆସିଥିବା ଜଣାପଡିଛି । ମୁମ୍ବାଇର ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏହି ଧମକ ଆସିଛି । ଆସିଛି। ଗୁରୁବାର ରାତି ପ୍ରାୟ 12:00 ସମୟରେ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ଉକ୍ତ ମେସେଜରେ ଲେଖାଯାଇଛି ଯେ ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଏକ ଗୀତ ଲେଖାଯାଇଛି । କାହାକୁ ଛଡାଯିବ ନାହିଁ ।
ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, “ଏକ ମାସ ମଧ୍ୟରେ ଗୀତ ଲେଖକଙ୍କୁ ହତ୍ୟା କରାଯିବ, ଗୀତ ଲେଖକଙ୍କ ଅବସ୍ଥା ଏପରି ହେବ ଯେ ସେ ନିଜ ନାମରେ ଗୀତ ଲେଖି ପାରିବେ ନାହିଁ । ଯଦି ସଲମାନ ଖାନଙ୍କର ସାହସ ଅଛି ତେବେ ସେ ତାଙ୍କୁ ବଞ୍ଚାନ୍ତୁ ।” ତେବେ ଏନେଇ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହାପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ରାଜସ୍ଥାନର ଜଣେ ବ୍ୟକ୍ତିକୁ ବୁଧବାର ଦିନ ଧରି ମହାରାଷ୍ଟ୍ର ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତର ନାମ ଭିଖା ରାମ (32) । ଯାହାକୁ ବିକ୍ରମ ନାମରେ ସମସ୍ତେ ଜାଣନ୍ତି ଏବଂ ସେ ରାଜସ୍ଥାନର ଜାଲୋରର ବାସିନ୍ଦା । ହାଭେରୀ ପୋଲିସ୍ ଅଧୀକ୍ଷକ ଅନସୁ କୁମାର କହିଛନ୍ତି ଯେ, ମହାରାଷ୍ଟ୍ର ଏଟିଏସରୁ ମିଳିଥିବା ସୂଚନାକୁ ଆଧାର କରି ହାଭେରୀ ସହରରେ ଜଣେ ବ୍ୟକ୍ତି ଧରାପଡିଥିଲେ ଏବଂ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଶାହରୁଖ ଖାନଙ୍କୁ ଗତକାଲି ଧମକ ମିଳିବା ପରେ ଆଜି ପୁଣି ସଲମାନ ଖାନଙ୍କୁ ଧମକ ମିଳିଛି । ଏନେଇ ଓ୍ବାର୍ଲି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।