ଏଲନ ମସ୍କଙ୍କ ଉପରେ ଥମୁନି ଟଙ୍କାର ବର୍ଷା! ୩୦୦ ବିଲୟନ ଡଲାର ଅତିକ୍ରମ କଲା ସଂପତ୍ତି

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଉପରେ ଟଙ୍କାର ବର୍ଷା ଥମିବାର ନାମ ନେଉନି। ଯେବେଠାରୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି, ସେବେଠାରୁ ମସ୍କଙ୍କ ସଂପତ୍ତି ବଢିବାରେ ଲାଗିଛି। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଏଲନ ମସ୍କଙ୍କ ସଂପତ୍ତି ୩୦୦ ବିଲିୟନ ଡଲାର ପାରି କରିସାରିଛି। ଅର୍ଥାତ ତାଙ୍କ ସଂପତ୍ତି ମୁକେଶ ଅମ୍ବାନୀଙ୍କ ସଂପତ୍ତିଠାରୁ ୩ ଗୁଣା ଅଧିକ ହୋଇସାରିଛି। ୩ ବର୍ଷରେ ପ୍ରଥମଥର ମସ୍କଙ୍କ ସଂପତ୍ତି ୩୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନ ସମୟରେ ଅଧିକ ସମର୍ଥନ କରିଥିଲେ। ଟ୍ରମ୍ପଙ୍କ ଜିତିବା ପରେ ବର୍ତ୍ତମାନ ନିବେଶକ ଟେସଲାର ସେୟାର କିଣୁଛନ୍ତି। ଯେଉଁ ଦିନ ଟ୍ରମ୍ପ ଜିତିଥିଲେ, ସେହି ଦିନ ହିଁ ଏଲନ ମସ୍କଙ୍କ ସଂପତ୍ତି ୨୬.୫ ଅରବ ଡାଲର ବୃଦ୍ଧି ହୋଇଥିଲା।

ଅନୁମାନ କରାଯାଉଛି ଯେ, ଏଲନ ମସ୍କଙ୍କ ବ୍ୟବସାୟ ଉପରେ ଟ୍ରମ୍ପ ସରକାରର ଉତ୍ତମ ପ୍ରଭାବ ପଡିବ। ଟ୍ରମ୍ପ ଯେପରି ସେଲ୍ଫ-ଡ୍ରାଇଭିଙ୍ଗ ଚାଇନିଜ ବୈଦ୍ୟୁତିକ ଯାନବାହନ ଉପରେ ବ୍ୟାନ ଲଗାଇପାରିବେ। ଏହାକୁ ଦୃଷ୍ଟିରେ ରଖି ଲୋକେ ଟେସଲାର ସେୟାର ଜୋରସୋରରେ କିଣିବାକୁ ଲାଗିଛନ୍ତି। ମଙ୍ଗଳବାରଠାରୁ କମ୍ପାନୀର ସେୟାର ୨୮ ପ୍ରତିଶତ ବଢିଯାଇଛି। ଟେସଲା ସେୟାର ବଢିବା ପରେ ଶୁକ୍ରବାର ମସ୍କଙ୍କ ସଂପତ୍ତିରେ ୧୭.୪ ବିଲିୟନ ଡଲାରର ବୃଦ୍ଧି ଘଟିଛି ଏବଂ ଏହା ୩୧୪ ବିଲିୟନ ଡଲାରରେ ପହଞ୍ଚିସାରିଛି। ମସ୍କଙ୍କ ପରେ ଦୁନିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଅମାଜନ ଫାଉଣ୍ଡର ଜେଫ ବେଜୋସ ଅଟନ୍ତି, ତାଙ୍କର ସମୁଦାୟ ସଂପତ୍ତି ୨୩୦ ବିଲିୟନ ଡଲାର ଅଟେ।