ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଏନଫୋର୍ସମେଣ୍ଟ ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାସ ୭ ତାରିଖରୁ ପ୍ରିଲିମ୍ସ ପରୀକ୍ଷା ଆରମ୍ଭ ହୋଇ ୧୧ ତାରିଖରେ ତାହା ସମାପ୍ତ ହେବ । ପରୀକ୍ଷା ଗୋଟିଏ ଶିଟିଂରେ ଅନୁଷ୍ଠିତ ହେବ । ୧୦୦ଟି ପ୍ରଶ୍ନ ପାଇଁ ୧୦୦ ମାର୍କ ରହିବ । ପ୍ରାର୍ଥୀମାନେ ଦୁଇ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା ଦେବେ ଓ ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫ ହିସାବରେ ନେଗେଟିଭ୍ ମାର୍କିଂ ରହିଛି । ଏହାକୁ ନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ପ୍ରୋଗ୍ରାମ ଜାରି କରାଯାଇଛି ।
ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଡିସେମ୍ବର ୨ ତାରିଖ ଠାରୁ ସେମାନଙ୍କର ୟୁଜର ଆଇଡି ଓ ପାସୱାର୍ଡ ବ୍ୟବହାର କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସରେ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପୂରଣ ପାଇଁ ଓଏସଏସସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ପଦର ଆବେଦନ ତାରିଖ ପରିବର୍ତ୍ତନ କରାଯିବା ସହ କରିଜେଣ୍ଡମ୍ ଜାରି କରାଯାଇ ବିଜ୍ଞପ୍ତିର ତ୍ରୁଟି ସଂଶୋଧନ କରାଯାଇଥିଲା ।