ଚିକିତ୍ସା କ୍ଷେତ୍ରରେ ଐତିହାସିକ ପଦକ୍ଷେପ: ରାଜ୍ୟରେ ଆରମ୍ଭ ହେବ ପ୍ରଥମ ହୃତପିଣ୍ଡ ପ୍ରତିରୋପଣ, ୩ ମାସରେ ସରିବ ପ୍ରକ୍ରିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଚିକିତ୍ସା କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ ଏହି କ୍ରମରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଥର ପାଇର୍ ଆରମ୍ଭ ହେବାକୁ ଯାଉଛି ହୃତପିଣ୍ଡ ପ୍ରତିରୋପଣ । ଏଥିପାଇଁ ଗତ ମାସରେ ଚେନ୍ନାଇ ସ୍ଥିତ ମହାତ୍ମା ଗାନ୍ଧୀ ମେମୋରିଆଲ (ଏମଜିଏମ) ହସ୍ପିଟାଲ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଉକ୍ତ ଚୁକ୍ତି ଅନୁଯାୟୀ, ଏମଜିଏମ୍ ହସ୍ପିଟାଲର ଟିମ ଏସସିବି ଆସି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରିଛନ୍ତ ।
ଏହା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସସିବି କାର୍ଡିଓଥୋରାସିକ୍ ବିଭାଗରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ସିଟିଭିଏସ୍ ଓପିଡିର ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ରୋଗୀଙ୍କର ସ୍କ୍ରିନିଂ ସହିତ ହୃତପିଣ୍ଡ ପ୍ରତିରୋପଣ ଜରୁରୀ ଥିବା ରୋଗୀଙ୍କୁ ଚିହ୍ନଟ କରାଯିବ । ଆସନ୍ତା ୯୦ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମାପ୍ତ ହେବ । ତା’ପରେ କଟକର ଏସସିବିରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ । ଏନେଇ ଏସସିବିରେ ଡାକ୍ତରଙ୍କ ସହ ଏମଜିଏମ ଟିମ୍ ସମସ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏସସିବିରେ ବୃକକ, ଯକୃତ ଓ ଅସ୍ଥିମଜା ପ୍ରତିରୋପଣ ସଫଳତାର ସହ କରାଯାଇଥିବା ବେଳେ ଏବେ ହାର୍ଟ କ୍ଷେତ୍ରରେ ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ରାଜ୍ୟ ସରକାର ଏମଜିଏମ୍ ହସ୍ପିଟାଲ ସହ କରିଥିବା ଚୁକ୍ତି ଅନୁସାରେ, ଏସସିବିରେ ୧୦ଟି ହୃତପିଣ୍ଡ ପ୍ରତିରୋପଣ ମାଗଣାରେ କରାଯିବ । ସେଥିପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ମାତ୍ର ଲିଭର ଟ୍ରାନ୍ସପ୍ଲାଟ୍ଟ ପାଇଁ ହୋଇଥିବା ଚୁକ୍ତିରେ ସରକାର ଅର୍ଥ ଦେଉଛନ୍ତି ।