ଅଫିସ କାମ ପାଇଁ ପାର୍ଟନରଙ୍କୁ ଦେଇପାରୁନାହାଁନ୍ତି ସମୟ ! ଦେଖାଯିବନି ସମ୍ପର୍କରେ ଫାଟ ଅପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ଅଫିସ ଓ ଘର ଦାୟିତ୍ୱ ମଝିରେ ଦୁହେଁ ଯେମିତି ଛନ୍ଦି ହୋଇଯାଉଛନ୍ତି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଯେମିତି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବେଳେ ବେଳେ ବ୍ୟସ୍ତତା ଯୋଗୁଁ ଦମ୍ପତି ପରସ୍ପରକୁ ସମୟ ଦେଇପାରନ୍ତି ନାହିଁ । ଫଳରେ ସେମାନଙ୍କ ସମ୍ପର୍କରେ ଦୂରତା ଦେଖାଯାଇଥାଏ ।

ଅଧିକାଂଶ ବ୍ୟକ୍ତି କ୍ୟାରିୟରରେ ସଫଳତାକୁ ନେଇ ଚିନ୍ତିତ ଥାନ୍ତି । କିନ୍ତୁ ବେଳେ ବେଳେ ସେମାନେ ବ୍ୟକ୍ତିଗତ ଜୀବନକୁ ଅବହେଳା କରିଥାନ୍ତି । ଏହା ଦ୍ୱାରା ମନରେ ସବୁବେଳେ ଅସନ୍ତୁଷ୍ଟ ଭାବନା ଦେଖାଦେଇଥାଏ । ତେବେ ନିମ୍ନଲିଖିତ ଟିପ୍ସ ମାଧ୍ୟମରେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ।

୧- ପ୍ରଥମ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ଭିନ୍ନ ରଖନ୍ତୁ । ଅଫିସ ଏବଂ ଘର ଉଭୟ ମ୍ୟାନେଜ କରିବାରେ ସମସ୍ୟା ହେଉଥିଲେ ଏକ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତୁ । ଏହା ସୁନିଶ୍ଚିତ କରନ୍ତୁ କି ଅଫିସ ପରେ ଆପଣ କେତେ ସମୟ ପତ୍ନୀଙ୍କୁ ଦେବେ । ଏହା ବାଦ୍ ଛୁଟି ଦିନରେ ଭ୍ରମଣ ପାଇଁ ଯୋଜନା କରିପାରିବେ ।

୨- ୱାର୍କ ଲାଇଫକୁ ନେଇ ସମସ୍ୟା ହେଉଥିଲେ ପତ୍ନୀଙ୍କ ସହ ଖୋଲା ଖୋଲି ଭାବେ କଥାବାର୍ତ୍ତା କରନ୍ତୁ । ଉଭୟ ମିଶି ଏହାର ସମାଧାନ ବାହାର କରନ୍ତୁ । ଏହା ଦ୍ୱାରା ଆପଣ ପରସ୍ପରର ସମସ୍ୟା ବିଷୟରେ ଜାଣିବା ସହ ବୁଝିପାରିବେ ।

୩- ଯେତେଦୂର ସମ୍ଭବ ପତ୍ନୀଙ୍କ ସହ କ୍ୱାଲିଟି ସମୟ ବିତାନ୍ତୁ । ଅଫିସରୁ ଆସିବା ପରେ କିଛି ସମୟ ପାଇଁ ମୋବାଇଲ ଓ ଲାପଟପରୁ ଦୂରେଇ ରୁହନ୍ତୁ । ଏକାଠି ବସି ଚାହା ପିଇବା, ଭୋଜନ କରିବା ଓ କଥାବାର୍ତ୍ତା କରନ୍ତୁ । ଉଭୟ ମିଶି ଘର କାମ କଲେ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ ।

୪- ଛୁଟି ଦିନରେ ପାର୍ଟନରଙ୍କ ସାଥିରେ ଡେଟ୍ ପ୍ଲାନ୍ କରନ୍ତୁ । ଫିଲ୍ମ ଦେଖିବା, ଶପିଂ, ବୁଲିଯିବା ଇତ୍ୟାଦି ଦ୍ୱାରା କାମରୁ ଟିକିଏ ବ୍ରେକ୍ ମିଳିଥାଏ ।

୫- ପରସ୍ପର ଲକ୍ଷ୍ୟ ଓ କାମକୁ ସମ୍ମାନ ଦିଅନ୍ତୁ । ବେଳେ ବେଳେ ଭଲ କାମ ପାଇଁ ପ୍ରଶଂସା କରନ୍ତୁ ଏବଂ ଖରାପ ହେଲେ କାମ ଉତ୍ତମ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଏହା ଦ୍ୱାରା ସମ୍ପର୍କ ମଜବୁତ ରହିଥାଏ ।