ନୂଆଦିଲ୍ଲୀ: ଆସିଛି ଏକ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈର ଭାଇ ଅନମୋଲ ବିଷ୍ଣୋଈ ଧରାପଡ଼ିଛି । ମିଳିଥିବା ଏକ ସୂତ୍ର ମୁତାବକ, ଅନମୋଲକୁ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଛି । ଅନମୋଲ ନିଜ ଦେଶରେ ରହିଥିବା ନେଇ କିଛି ସମୟ ପୂର୍ବରୁ ଆମେରିକୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ଏହାପରେ ମୁମ୍ବାଇ ପୋଲିସ ଅନମୋଲକୁ ପ୍ରତ୍ୟର୍ପଣ ପାଇଁ ଏକ ପ୍ରସ୍ତାବ ଦେଇଥିଲା । ଏହାର କିଛି ଦିନ ପରେ ଏହି ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା ଓ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡ ସମେତ ଅନେକ ହାଇ-ପ୍ରୋଫାଇଲ ଅପରାଧରେ ଅନମୋଲ ଅଭିଯୁକ୍ତ ରହିଛି ।
ଅନମୋଲ ସୂଚନା ପ୍ରଦାନକାରୀଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ନିକଟରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ନିଆ) ତରଫରୁ ଘୋଷଣା କରାଯାଇଥିଲା । ଗତ ୨୦୨୨ରେ ନିଆ ତରଫରୁ ଅନମୋଲ ବିରୋଧରେ ଦୁଇଟି ମାମଲାରେ ଅଭିଯୋଗ ପତ୍ର ଦାଖଲ କରିଥିଲା । ଗତ ମାସରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପେଶାଲ କୋର୍ଟରେ ଏ ବାବଦରେ ସୂଚନା ଦିଆଯିବା ସହ ଫେରାର ଅପରାଧୀ ଅନମୋଲର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ଇଚ୍ଛୁକ ଥିବା କୁହାଯାଇଥିଲା । ଗତ ଏପ୍ରିଲ ୧୪ରେ ଅଭିନେତା ସଲମାନଙ୍କ ଗାଲାକ୍ସୀ ଆପାର୍ଟମେଣ୍ଟ ବାହାରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଲରେନ୍ସ ଓ ଅନମୋଲଙ୍କୁ ମୁମ୍ବାଇ ପୋଲିସ ୱାଣ୍ଟେଡ ଘୋଷିତ କରିଥିଲା । ଅନମୋଲ ଉକ୍ତ ଘଟଣା ପାଇଁ ନିଜକୁ ଦାୟୀ କରିବା ପରେ ତା’ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା ।