ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ଇସରାଏଲ ଉପରେ ରବିବାର ପୁଣିଥରେ ପାଲଟା ଆକ୍ରମଣ କରିଥିଲା । ଇସରାଏଲ ଉପରେ ପ୍ରାୟ ୨୫୦ ରକେଟ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲା ହିଜବୁଲ୍ଲା । ପୂର୍ବ ଅପେକ୍ଷା ଏହା ଭୀଷଣ ଆକ୍ରମଣ ଥିଲା କାରଣ କିଛି ରକେଟ୍ ମଧ୍ୟ ଇସରାଏଲ ସ୍ଥିତ ତେଲ୍ ଅବୀବ୍ ଅଞ୍ଚଳକୁ ମଧ୍ୟ ବ୍ୟାପି ଥିଲା । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇ ଥିବାବେଳେ ଏଥିରେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା । ଇସରାଏଲର ‘ମେଗନ୍ ଡେଭିଡ୍ ଏଡୋମ୍’ ସୁରକ୍ଷା ସେବା କହିବାନୁଯାୟୀ ସେମାନେ ଆହତ ସାତ ଜଣଙ୍କ ଆହତଙ୍କ ଚିକିତ୍ସା କରିଥିଲେ ।
ଇସରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଲେବନାନର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିମଧ୍ୟରେ ରବିବାର ଇସରାଏଲ ଆକ୍ରମଣରେ ଲେବାନନର ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଇସରାଏଲ ସେନା ଚିନ୍ତା ବ୍ୟକ୍ତ କରି କହିଥିଲା କି ଏହି ଆକ୍ରମଣ ହିଜବୁଲ୍ଲା ବିରୋଧରେ । ଲେବାନନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଏହି ଆକ୍ରମଣକୁ ନେଇ ନିନ୍ଦା ବ୍ୟକ୍ତ କରିଛନ୍ତି । ସେହିପରି ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁଯାୟୀ ଶନିବାର ଇସରାଲ ବିନା କୌଣସି ଚେତାବନୀ ଦେଇ ବେରୁତ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଯେଉଁଥିରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଥିଲେ ।