ଓଡ଼ିଶା ଭାସ୍କର: ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁନାହାନ୍ତି । କାମ କରିବା କିମ୍ୱା ଯାତ୍ରା କରିବା ସମୟରେ ଅନେକ ଇୟରଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଦିନରେ ଏପରି ଅଳ୍ପ ସମୟ ପାଇଁ କଲେ କିଛି ଅସୁବିଧା ହେବନାହିଁ, କିନ୍ତୁ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ କିଛି କାମ କରନ୍ତୁ, କିମ୍ୱା ଖାଲି ବସିଥାନ୍ତୁ, କାନରେ ସବୁବେଳେ ସେମାନଙ୍କର ଇୟରଫୋନ୍ ଲାଗିଥାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ବିପଦଜ୍ଜନକ ହୋଇପାରେ । ଏଭଳି କରୁଥିଲେ ସାବଧାନ ହୋଇଯାନ୍ତୁ । ଇୟରଫୋନ୍ ଲଗାଉଥିଲେ ସାବଧାନ! ହରାଇପାରନ୍ତି ଶ୍ରବଣ ଶକ୍ତି…
ଶ୍ରବଣ ଶକ୍ତିରେ ପଡେ ପ୍ରଭାବ: ଦିନସାରା ଇୟରଫୋନ୍ ବ୍ୟବହାର କରୁଥିବା ଲୋକେ ଏହି ଅଭ୍ୟାସ ବଦଳାଇବା ଦରକାର । ଏହାକୁ ଜଣେ ଲଗାତାର ବ୍ୟବହାର କରିବା ଦ୍ୱାରା ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜଣେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଇୟରଫୋନରେ ଅଧିକ ଭଲ୍ୟୁମ୍ ଦେଇ ଗୀତ ଶୁଣନ୍ତି, ଏହାଦ୍ୱାରା ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ ।
ବଢ଼ିଥାଏ ହୃଦଘାତ ଆଶଙ୍କା: କାନରେ ଇୟରଫୋନ୍ ଲଗାଇ ଜୋରରେ ଗୀତ ଶୁଣିବା ଦ୍ୱାରା ଏହା ଘାତକ ହୋଇପାରେ । ଏହାଦ୍ୱାରା ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ । ଯେତେବେଳେ ଆମେ ଅଧିକ ଜୋରରେ ଗୀତ ଶୁଣୁ ସେତେବେଳେ ଆମ ହୃଦ ସ୍ପନ୍ଦନ ବଢ଼ିଯାଏ । ଏଭଳି ନିୟମିତ ହେବା ଦ୍ୱାରା ହୃଦ୍ରୋଗ ହେବା ଆଶଙ୍କା ବୃଦ୍ଧି ପାଏ ।
ମସ୍ତିଷ୍କ ଉପରେ ପ୍ରଭାବ: ଦୀର୍ଘ ସମୟ ଧରି ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ଏହା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଇୟରଫୋନରୁ ବାହାରୁଥିବା ବିଦ୍ୟୁତ୍ ତରଙ୍ଗ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଏହା ଆମର ମସ୍କିଷ୍କ କୋଷିକାଗୁଡ଼ିକୁ ନଷ୍ଟ କରିଦିଏ । ଏହାଦ୍ୱାରା ଆମ ମସ୍ତିଷ୍କ ମାନ୍ଦା ହୋଇଯାଏ ।
ଅନିଦ୍ରା ସମସ୍ୟା: ଯଦି ଜଣେ ଇୟରଫୋନ୍ ଲଗାଇ ଶୋଉଥାନ୍ତି କିମ୍ୱା ଶୋଇବା ପୂର୍ବରୁ ଏଥିରେ ଗୀତ ଶୁଣୁଥାନ୍ତି, ଏହାଦ୍ୱାରା ଅନିଦ୍ରା ସମସ୍ୟା ବୃଦ୍ଧି ପାଏ । କେବଳ ସେତିକି ନୁହେଁ ଏହାଦ୍ୱାରା ନିଦରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ଏହା ଆମର ଜୈବିକ ଚକ୍ରକୁ ପ୍ରଭାବିତ କରିବା ଦ୍ୱାରା ଖାଇବାଠାରୁ ଆରମ୍ଭ କରି ଶୋଇବା ପ୍ରଭାବିତ ହୋଇଥାଏ ।