ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ଥାୟୀ ଖାତା ସଂଖ୍ୟା ବା ପ୍ୟାନକୁ ସମ୍ପୂର୍ଣ୍ଣ ଭାବେ ଉନ୍ନତ ଧରଣର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ୟାନ୍ କାର୍ଡର ସୁରକ୍ଷା ଓ ଏହା ସମ୍ବନ୍ଧିତ ସ୍ଥାୟୀ ସମାଧାନ ପାଇଁ ନୂଆ ଯୋଜନା ‘ପ୍ୟାନ ୨.୦’ ଯୋଜନାର ଶୁଭାରମ୍ଭ କରାଯିବ । ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ପ୍ୟାନ୍ କାର୍ଡରେ କ୍ୟୁଆର୍ କୋର୍ଡ ରହିବ । ଫଳରେ ଗ୍ରାହକମାନେ ଏବେ ନୂଆ ପ୍ୟାନ୍ କାର୍ଡ ପାଇବେ ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ବାବଦରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଆୟକର ବିଭାଗର ପ୍ୟାନ ୨.୦ ପରିଯେଜାନାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ୧୪୩୫ କୋଟି ଟଙ୍କା ବ୍ୟୟ କରାଯିବ । ଏହି ପରିଯୋଜନାରେ ପ୍ୟାନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଇ ଉନ୍ନତ ଧରଣର କରାଯିବ । ଏହି କ୍ୟୁଆର କୋର୍ଡ ଆଧାରିତ ପ୍ୟାନ କାର୍ଡ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ହେବ । ଏଥିପାଇଁ ଜଣଙ୍କୁ କୌଣସି ଅର୍ଥରାଶି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ । ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତିଙ୍କ ପ୍ୟାନ ନମ୍ବର ବଦଳିବ ନାହିଁ । ଏହି ପଦକ୍ଷେପ ଦ୍ୱାରା ନୂଆ ପ୍ୟାନରେ ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହେବ ଓ ଅଭିଯୋଗଗୁଡ଼ିକୁ ସମାଧାନ ମଧ୍ୟ କରାଯାଇ ପାରିବ ।