ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା । ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା । ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ । ଏଥିସହିତ ପ୍ରତି ଶିକ୍ଷା ବର୍ଷ ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।
ତେବେ ଏହା ମଧ୍ୟରେ ଏନଇପି-୨୦୨୦କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ୨୦୨୫ ସୁଦ୍ଧା ଏହାକୁ ରାଜ୍ୟର ସ୍କୁଲ ସ୍ତରରେ ଲାଗୁ କରାଯିବା ନେଇ ଯୋଜନା କରାଯାଉଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ୬ଟି ସବ୍ କମିଟି ଗଠନ ହୋଇଛି ଓ ଏହି ସବ୍ କମିଟି ପରାମର୍ଶ ଦେବେ । ସ୍କୁଲମାନଙ୍କରେ ଥିବା ଶିକ୍ଷକ ଅଭାବକୁ ପୂରଣ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ । ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ । ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଏବଂ ଡିଗ୍ରି ଅନର୍ସ୍ ପ୍ରଦାନ କରାଯିବ ।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି । କମ୍ୟୁନିଟି ସର୍ଭିସ୍ ଓ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଏତଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ସ୍ୱଇଚ୍ଛାରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ ।
ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି ଜ୍ଞଙ୍କକ୍ଷଗ୍ଧସ ୟସଗ୍ଦମସକ୍ଟ୍ରକ୍ଷସଦ୍ଭବକ୍ସଚ୍ଚ ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମୱର୍କ୍ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ ।