ବୋରୱେଲରୁ ପାଣି ନେବାକୁ ନେଇ ବିବାଦ; ଦଳିତ ଯୁବକଙ୍କୁ ପିଟିପିଟି କଲେ ହତ୍ୟା

ନୂଆଦିଲ୍ଲୀ: ଗତ କାଲି (ନଭେମ୍ବର ୨୬ ତାରିଖ) ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ହୃଦୟ ବିଦାରକ ଘଟଣା। ବୋରୱେଲରୁ ପାଣି ଆଣିବାକୁ ନେଇ ଦେଖାଦେଲା ବିବାଦ। ଏହି ଘଟଣାକୁ ନେଇ ଜଣେ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଶିବପୁରୀର ସୁଭାଷପୁରା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ଗାଁରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ବୁଧବାର ସକାଳୁ ଏହି ଘଟଣାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଗ୍ୱାଲିୟରର ଦୌରାର ଗାଁର ବାସିନ୍ଦା ୨୮ ବର୍ଷୀୟ ନାରଦ ଜାଟବ ତାଙ୍କ ଭାଇଙ୍କ ସହ ନିଜ ମାମୁଁ ଘର ଗାଁ ଇନ୍ଦ୍ରଗଡ଼ ଯାଇଥିଲେ।

ମଙ୍ଗଳବାର ସକାଳେ ଜମିରେ ଥିବା ନଳକୂପରୁ ଜଳସେଚନ ପାଇଁ ପାଣି ଲଗାଇବା ପ୍ରସଙ୍ଗକୁ ନେଇ ଗ୍ରାମର ସରପଞ୍ଚ ପଦମ ଧାକଡ଼ ଓ ତାଙ୍କ ପରିବାର ସଦସ୍ୟ ଏବଂ ନାରଦ ଜାଟବଙ୍କ ମଧ୍ୟରେ ବିବାଦ ହୋଇଥିଲା। ସରପଞ୍ଚ ଓ ତାଙ୍କ ପରିବାର ଲୋକେ ନାରଦାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସ୍ ସି/ଏସ୍ ଟି ଆକ୍ଟ ସମେତ ହତ୍ୟା ପାଇଁ ପୁଲିସ ଭାରତୀୟ ଦଣ୍ଡ ବିଧି (ଆଇପିସି)ର ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

ସୁଭାଷପୁର ଥାନା ଅଧିକାରୀ ରାଜୀବ ଦୁବେ ଗଣମାଧ୍ୟମକୁ କହିଛନ୍ତି, ଏହି ଘଟଣାରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ ଏହାର ତଦନ୍ତ କରୁଛି, ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି କିନ୍ତୁ ଖୁବଶୀଘ୍ର ଗିରଫ ହେବ।