ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ(ED) ଟିମ୍ ଉପରେ ଅକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ବିଜୱାସନ ଅଞ୍ଚଳରେ ସାଇବର ଠକେଇ ମାମଲାର ଯାଞ୍ଚ କରିବାକୁ ଯାଇଥିବା ଇଡି ଅଧିକାରୀଙ୍କ ଉପରେ କିଛି ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ । ତେବେ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାରୁ ପ୍ରକାଶ ଦିଲ୍ଲୀ ବିଜୱାସନ ଅଞ୍ଚଳରେ ସାଇବର ଠକେଇ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ଏକ ଟିମ୍ ରେଡ୍ କରିବା ସମୟରେ ଆକ୍ରମଣର ଶିକାର ହୋଇଥିଲା । ଏହି ମାମଲା PPPYL ସାଇବର ଆପ୍ ଠକେଇ ମାମଲା ସହ ଜଡ଼ିତ । ଏହି ମାମଲାରେ ଅଭିଯୁକ୍ତ ଅଶୋକ ଶର୍ମା ଏବଂ ତାଙ୍କ ଭାଇଙ୍କ ଠିକଣାରେ ରେଡ୍ ଜାରି ରହିଥିଲା । ଆକ୍ରମଣର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଚେୟାର ଜବତ କରିଥିଲା । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଅତିରିକ୍ତ ନିର୍ଦ୍ଦେଶକ ସ୍ତରର ଅଧିକାରୀମାନେ ଆହତ ହୋଇଥିଲେ ।