ଉତ୍ତର ପ୍ରଦେଶରେ ୭୬ତମ ଜିଲ୍ଲା ଗଠନ କଲେ ଯୋଗୀ, ଏହି ଅଧିକାରୀଙ୍କୁ ମିଳିଛି ବଡ଼ ଦାୟିତ୍ୱ

ଲକ୍ଷ୍ନୌ: ଆସନ୍ତା ଜାନୁଆରୀ ୧୩ରୁ ଫେବୃଆରୀ ୨୬ ତାରିଖ ଯାଏଁ ପୟାଗରାଜରେ ମହାକୁମ୍ଭ ୨୦୨୫ ଆୟୋଜିତ ହେବ । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଆୟୋଜନ ପାଇଁ ମେଳା ଅଞ୍ଚଳକୁ ନୂତନ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ନାଁ ‘ମହାକୁମ୍ଭ ମେଳା’ ରଖାଯାଇଛି । ମହାକୁମ୍ଭ ମେଲା ନାଁରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂତନ ଜିଲ୍ଲାର ପରିଚାଳନା ପାଇଁ ଡିଏମ୍ ଏବଂ ପୋଲିସ କ୍ୟାପଟେନଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପୋଲିସ ଫାଣ୍ଡି ଏବଂ ଷ୍ଟେସନ୍ ରହିବ । ଏହି ନୂତନ ଜିଲ୍ଲା ଗଠନ ହେବା ପରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୭୫ରୁ ବୃଦ୍ଧି ପାଇ ୭୬ ହୋଇଯିବ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୟାଗରାଜର ଡିଏମ୍ ରବିନ୍ଦ୍ର କୁମାର ମାନ୍ଦଡ଼ ରବିବାର ନୂତନ ଜିଲ୍ଲା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମହାକୁମ୍ଭ ମେଳା ଜିଲ୍ଲାର ଜିଲ୍ଲାପାଳ ହେବେ ମେଳା ଅଧିକାରୀ ବିଜୟ କିରଣ ଏବଂ ଏସଏସପି ଦାୟିତ୍ୱରେ ରହିବେ ରାଜେଶ ଦ୍ୱିବେଦୀ । ଅସ୍ଥାୟୀ ଭାବରେ ଗଠନ କରାଯାଇଥିବା ଏହି ‘ମହାକୁମ୍ଭ ମେଳା’ ଜିଲ୍ଲା ଅନ୍ତର୍ଗତ ମହାକୁମ୍ଭ ମେଲା ଜିଲ୍ଲାରେ ପୁରା ପ୍ୟାରେଡ୍ ଅଞ୍ଚଳ, ତହସିଲ ସଦରର୨୫ଟି ଗାଁ, ତହଦିଲ ସୋରାଓଁର ୩ ଗାଁ, ତହସିଲ ଫୁଲପୁରର ୨୦ ଗାଁ ଏବଂ କରଛନା ତହସିଲର ୧୯ଟି ଗାଁ ସାମିଲ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ମେଳା ଅଧିକାରୀ ବିଜୟ କିରଣ ଜିଲ୍ଲାପାଳଙ୍କ ସମସ୍ତ ଅଧିକାର ବ୍ୟବହାର କରିପାରିବେ ।