ମୁମ୍ୱାଇ: ଚାମ୍ପିୟନ୍ସ ଟ୍ରଫି କ୍ଷେତ୍ରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରି ଫାଇଦା ଉଠାଇବାକୁ ଚାହୁଁଥିଲା ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ ହେବ। ବାସ୍ତବରେ ପିସିବି କହିଛି ଯେ ଯଦି ଭାରତୀୟ ଦଳ ନିଜ ଦେଶକୁ ଆସିବାକୁ ଚାହେଁ ନାହିଁ, ତେବେ ପାକ୍ ଦଳ ଆଗାମୀ ଇଭେଣ୍ଟରେ ଖେଳିବାକୁ ଭାରତ ଯିବ ନାହିଁ ଏବଂ ଏଥିପାଇଁ ମଧ୍ୟ ହାଇବ୍ରିଡ୍ ମଡେଲ ଲାଗୁ କରାଯାଉ। ଦୁବାଇରେ ଭାରତ-ପାକ୍ ମ୍ୟାଚ୍ ଆୟୋଜନ କରିବାକୁ ପାକିସ୍ତାନ ପକ୍ଷରୁ ଦାବି ହୋଇଥିଲା। ଏବେ ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି ଯେ ବିସିସିଆଇ ହାଇବ୍ରିଡ୍ ମଡେଲରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛି।
ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଆଇସିସିର କୌଣସି ଇଭେଣ୍ଟରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରାଯାଉ ବୋଲି ଦାବି ହୋଇଥିଲା। ଦୁବାଇକୁ ଏକ ନିରପେକ୍ଷ ସ୍ଥାନ ଭାବରେ ନାମିତ କରାଯାଇଥିଲା ଏବଂ ଏହି ଫର୍ମୁଲାକୁ ପ୍ରଥମେ ‘ପାର୍ଟନରସିପ୍’ ବୋଲି ସମ୍ବୋଧିତ କରାଯାଇଥିଲା। ପ୍ରଥମେ ଏହାକୁ ସବୁଜ ସଙ୍କେତ ଦିଆଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲେ ହେଁ ଏବେ ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବିସିସିଆଇ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।
ରିପୋର୍ଟ ଅନୁଯାୟୀ, ବିସିସିଆଇ ପୂର୍ବରୁ ଏହି ‘ପାର୍ଟନରସିପ୍’ ଫର୍ମୁଲା ପାଇଁ ଆଗ୍ରହ ଦେଖାଇଥିଲା, ଯାହା ଅଧୀନରେ ଭାରତ-ପାକିସ୍ତାନ ମ୍ୟାଚ୍ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଦୁବାଇରେ ଖେଳାଯିବାର ଥିଲା। ୟୁଏଇରେ ସୋମବାର ଓ ମଙ୍ଗଳବାର କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ରବିବାର ଛୁଟି ଥିବା ଦର୍ଶାଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇନାହିଁ। ଅନ୍ୟପକ୍ଷରେ ଜୟ ଶାହ ଡିସେମ୍ବର ୧ରେ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏସବୁ ଘଟଣାକ୍ରମ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ମାମଲାର ନିଷ୍ପତ୍ତି ଏବେ ବି ଅଧାରେ ପଡ଼ି ରହିଛି।