(Video) ମାଟି ତଳୁ ବାହାରିଲା ଗଦା ଗଦା ଟଙ୍କା ଓ ସୁନା: ଖୋଳିଲେ ବାହାରୁଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟି ତଳୁ ବାହାରୁଛି ଗଦା ଗଦା ସୁନା ଓ ଟଙ୍କା । ମାଟି ଭିତରକୁ ଯେତେ ଖୋଳିବ ସେତିକି ଟଙ୍କା ବାହାରୁଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବୋରିଗି ପଞ୍ଚାୟତ କେଲୁବାଡ଼ି ଗାଁରେ । ୭୦ ବର୍ଷୀୟ ସୀତାରାମ ମେଲେକାଙ୍କ ପରଲୋକ ପରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜୀବନର କଷ୍ଟୋପାର୍ଜିତ ଧନକୁ ସେ ଗଛ ମୂଳେ ପୋତି ରଖିଥିବା ନେଇ ମୃତ୍ୟୁ ପୂର୍ବରୁ ସୀତାରାମ ତାଙ୍କର ପୁଅ-ବୋହୁ, ନାତି-ନାତୁଣୀଙ୍କୁ ଡାକି କହିଥିଲେ । ତେବେ ସୀତାରାମଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କର ପରିଜନମାନେ ଗଛ ମୂଳ ଖୋଳି ୩୨ ହଜାର ଟଙ୍କା ଉଦ୍ଧାର କରିଥିଲେ । ଏବେ ବି ମାଟି ତଳୁ ସମ୍ପତ୍ତି ଖୋଳା ଚାଲିଛି ।

ତେବେ ମରିବା ଆଗରୁ ସୀତାରାମ କାହିଁକି ଟଙ୍କାକୁ ମାଟି ତଳେ ପୋତି ରଖିଥିଲେ ସେନେଇ ଏବେ ସଭିଙ୍କ ମୁହଁରେ ପ୍ରଶ୍ନ ଉଠୁଛି । ଆଜିର ସମୟରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ ଜିନିଷ ହୋଇଥିବା ବେଳେ ସୀତାରାମ ଜୀବିତ ଥିବା ବେଳେ କାହିଁକି ଏକଥା କାହାକୁ କହିନଥିଲେ, ସେନେଇ ଏବେ ରହସ୍ୟ ଦୃଢ଼ୀଭୂତ ହେବାରେ ଲାଗିଛି । ସୀତାରାମ ୧ ଲକ୍ଷ ୧୦ ହଜାର ଓ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ପୋତିଥିଲେ । ସୀତାରାମଙ୍କ ପରିବାରରେ ୩ ପୁଅ, ଗୋଟିଏ ଝିଅ ଓ ପତ୍ନୀ ରହିଥିଲେ । ସୀତାରାମ ଯାହା ରୋଜଗାର କରୁଥିଲେ, ସେଥିରେ ତାଙ୍କର ପରିବାର ଦୁଃଖେସୁଖେ ଚଳି ଯାଉଥିଲା । ତେବେ ଏହା ଭିତରେ ପିଲାମାନେ ବଡ଼ ହୋଇଯିବା ପରେ ୩ ପୁଅ ଓ ଝିଅଙ୍କୁ ସୀତାରାମ ବାହା କରାଇଥିଲେ । ଜଙ୍ଗଲ ଜମିରେ ବିରି, ମାଣ୍ଡିଆ ଆଉ ଧାନ ଚାଷ କରି ସେଥିରୁ ଯାହା ଉପାର୍ଜନ ହେଉଥିଲା ସେଥିରେ ଘର ଚଳାଉଥିଲେ ସୀତାରାମ । ସାଧାରଣ ଭାବେ ଲୋକମାନେ ନିଜର ବଳକା ଟଙ୍କାକୁ ବ୍ୟାଙ୍କରେ ସଞ୍ଚୟ କରିଥାନ୍ତି ବା ସୁନା ଅଳଙ୍କାର କିଣିଥାନ୍ତି । ମାତ୍ର ସୀତାରାମ ଯେଉଁଭଳି ଭାବେ ଟଙ୍କା, ସୁନାକୁ ମାଟି ତଳେ ପୋତି ରଖିଥିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ସକାଳୁ ସୀତାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବାରୁ ସେ ପରିବାରର ସମସ୍ତ ସଦସ୍ୟଙ୍କୁ ପାଖକୁ ଡକାଇ ଗଛ ମୂଳେ ପୋତି ରଖିଥିବା ଧନ ବିଷୟରେ କହି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।