ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ମାତ୍ର ୩୪ ବର୍ଷ ବୟସରେ ଜଣେ ବିଜେପି ନେତ୍ରୀ ଜୀବନ ହାରିଛନ୍ତି । ସେ ହେଉଛନ୍ତି ଗୁଜରାଟର ସୁରଟ ବିଜେପି ନେତ୍ରୀ ଦୀପିକା ପଟେଲ । ଦୀପିକା ସୁରଟର ୩୦ ନମ୍ବର ୱାର୍ଡରେ ବିଜେପି ମହିଳା ମୋର୍ଚ୍ଚା କାଇଁ କାମ କରୁଥିଲେ । ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ ହୋଇଥିବା ବେଳେ ଘରେ ତାଙ୍କର ୩ ଜଣ ଛୋଟ ପିଲା ରହିଥିଲେ । ତେବେ ଅଚାନକ କେଉଁ କାରଣରୁ ଦୀପିକା ଏହି ପଦକ୍ଷେପ ନେଲେ ସେନେଇ ଏବେ ପ୍ରଶ୍ନ ଉଠିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଦୀପିକା ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଦୀପିକା ଚାପରେ ରହିଥିଲେ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି । ଏହି ଆତ୍ମହତ୍ୟା ପଛର କାରଣ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଦୀପିକା ବେକରେ ରଶି ଲଗାଇ ଜୀବନ ହାରିଥିଲେ । ତାଙ୍କୁ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲା । ତାଙ୍କର ଫୋନକୁ ଫରେନସିକ୍ ଲ୍ୟାବକୁ ଟେଷ୍ଟିଂ ପାଇଁ ପଠାଯିବା ସହ କଲ୍ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି । ଦୀପିକା ଆଉ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି ତାଙ୍କର ବନ୍ଧୁ କର୍ପୋରେଟର ଚିରାଗଙ୍କୁ ଫୋନ୍ କରି କହିଥିଲେ । ସେ ଚାପରେ ଅଛନ୍ତି ଓ ବଞ୍ଚିବାକୁ ତାଙ୍କର ଇଚ୍ଛା ନଥିବା କହିଥିଲେ ବୋଲି ଚିରାଗ କହିଥିଲେ । ତେବେ ଦୀପିକାଙ୍କ ଠାରୁ ଏହା ଶୁଣିବା ପରେ ଚିରାଗ ସଙ୍ଗେସଙ୍ଗେ ଦୀପିକାଙ୍କ ଘରେ ପହଞ୍ଚିଥିଲେ ହେଁ ସେତେବେଳକୁ ସବୁ ସରିଯାଇଥିଲା ।