ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ୬ ତାରିଖରୁ ଖେଳାଯିବ । ଆଡିଲେଡରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଘଟିଯାଇଛି ଏକ ବଡ଼ ଅଘଟଣ । କ୍ରିକେଟରଙ୍କ ବଲ୍ ମୁଣ୍ଡରେ ବାଜି ସାଥୀ ଖେଳାଳିଙ୍କ ମୁଣ୍ଡ ଫାଟିବା ସହ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ବୋଲର ଖୁବ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି । ତେବେ ଆଡିଲେଡରେ ପିଙ୍କ ବଲ ଟେଷ୍ଟକୁ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ ଏହା ପୂର୍ବରୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ବ୍ରେଟ ଲି ବୋଲିଂ କରୁଥିବା ବେଳେ ତାଙ୍କ ଘାତକ ବଲରେ ଆହତ ହୋଇଛନ୍ତି ପୂର୍ବତନ କ୍ରିକେଟର ଫୋକ୍ସ କ୍ରିକେଟର କମେଣ୍ଟ୍ରେଟର ମାର୍କ ହୋୱାର୍ଡ । ବ୍ରେଟ ଲି’ ତାଙ୍କ ସମୟର ବିଶ୍ୱର ଘାତକ ବୋଲରମାନଙ୍କ ତାଲିକାରେ ଖୁବ ଉପରେ ରହିଥିଲେ । କିନ୍ତୁ ଅବସରର ଅନେକ ବର୍ଷ ପରେ ମଧ୍ୟ ତାଙ୍କ ବୋଲିଂରେ ପୂର୍ବ ଭଳି ଗତି ଦେଖିବାକୁ ମିଳିଛି । ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟ ପୂର୍ବରୁ ଏକ ଭିଡିଓ ଶୁଟ୍ ସମୟରେ ଏଭଳି ଅଘଟଣ ଘଟିଯାଇଛି । ବ୍ରେଟ ଲି ବୋଲିଂ କରୁଥିବା ବେଳେ ଏହା ମାର୍କ ହୋୱାର୍ଡଙ୍କ ମୁଣ୍ଡରେ ବାଜିଥିଲା ଏବଂ ମୁଣ୍ଡରୁ ରକ୍ତ ଝରିଥିଲା । ଏହି ଘଟଣା ପରେ ଚିକିତ୍ସା ପାଇଁ ସିଧା ମେଡିକାଲରେ ପହଞ୍ଚିଛନ୍ତି ହୋୱାର୍ଡ ।
ସିଡନୀ ୟୁନିଭର୍ସିଟିରେ ଗତକାଲି ହେଉଥିବା ଭିଡିଓ ଶୁଟ୍ ସମୟରେ ହୋୱାର୍ଡ ଆହତ ହୋଇଛନ୍ତି । ହୋୱାର୍ଡ ସାଥୀ କମେଣ୍ଟେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ ପେସ ବୋଲର ବ୍ରେଟ ଲି’ଙ୍କ ବୋଲିଂ ବେଳେ ୱିକେଟ କିପିଙ୍ଗ କରୁଥିଲେ । ଏହି ସମୟରେ ବ୍ରେଟ ଲି’ଙ୍କ ଏକ ବଲ ୱିକେଟରେ ବାଜିବା ପରେ ଏହାର ବେଲ୍ ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ହୋୱାର୍ଡଙ୍କ ମୁଣ୍ଡ ଫାଟିଥିବା ଜାଣିବାକୁ ମିଳିଛି । ତେବେ ଆହତ ପରେ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଛି ଏବଂ ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି ।