ପାଖରେ ନ ଥିଲା ଆମ୍ବୁଲାନ୍ସ ଭଡ଼ା, ଟାକ୍ସିରେ ଭାଇର ଶବକୁ ବାନ୍ଧି ଘରକୁ ଆଣିଲା ଭଉଣୀ… ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଘରୋଇ ଆମ୍ବୁଲାନ୍ସ ଖର୍ଚ୍ଚ ଭରଣ କରିବାକୁ ଅସମର୍ଥ ଭଉଣୀ ଭାଇର ଶବକୁ ଟାକ୍ସି ଛାତରେ ବାନ୍ଧି ୧୯୫ କିଲୋମିଟର ଦୂର ଘରକୁ ନେଇଛି । ଯୁବତୀଙ୍କ ଘର ଉତ୍ତରାଖଣ୍ଡ ପିଥୋରାଗଢ଼ ଜିଲାରେ । ଘଟଣା ସମ୍ପର୍କରେ ଜାଣିପାରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମୁତାବକ ବେରିନାଗସ୍ଥିତ ଏକ ଗାଁରେ ରହୁଥିବା ଶିବାନୀ (୨୨) ସାନ ଭାଇ ଅଭିଷେକ (୨୦) ସହିତ ରହୁଥିଲେ ।

ଶୁକବ୍ରାର ଦିନ ଅଭିଷେକ କାମରୁ ଜଲଦି ଘରକୁ ଫେରିଥିଲେ । ମୁଣ୍ଡ ବିନ୍ଧା ହେଉଥିବା କଥା ସେ ଭଉଣୀ ଶିବାନୀଙ୍କୁ ଜଣାଇଲେ । ଏହାର କିଛି ସମୟ ପରେ ଘରପାଖ ରେଳ ଧାରଣା ନିକଟରେ ଅଭିଷେକ ଅଚେତ ଅବସ୍ଥାରେ ପଡ଼ିଥିଲେ । ସେଠାରେ ଥିବା ଲୋକ ଶିବାନୀଙ୍କୁ ଏହାର ଖବର ଦେଲେ ଓ ତୁରନ୍ତ ସେମାନେ ଅଭିଷେକଙ୍କୁ ସୁଶିଲା ତିୱାରୀ ରାଜକୀୟ ମେଡିକାଲ କଲେଜ ନେଇଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା । ଶନିବାର ଦିନ ହିଁ ଶିବାନୀଙ୍କୁ ଭାଇର ଶବ ହସ୍ତାନ୍ତର କରାଯାଇଥିବା କଥା ପୋଲିସ କହିଛି ।

ଭାଇ ଶବକୁ ଘରକୁ ନେବା ପାଇଁ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ କଥା ହେଲେ । କିନ୍ତୁ ସେମାନେ ଭଡ଼ା ବାବଦକୁ ୧୦ରୁ ୧୨ ହଜାର ଟଙ୍କା ଦାବି କଲେ । ପାଖରେ ଏତେ ଟଙ୍କା ନ ଥିବା କାରଣରୁ ଶିବାନୀ ତାଙ୍କ ଗାଁର ଜଣେ ଟାକ୍ସି ଡ୍ରାଇଭରକୁ ଡକେଇ ଗାଡ଼ି ଛାତରେ ଅଭିଷେକଙ୍କ ଶବକୁ ବାନ୍ଧି ଘରକୁ ନେଇଛନ୍ତି ।