ନୂଆଦିଲ୍ଲୀ- ଦେଶରେ ମୋଟ ୯୯୬ ସମ୍ପତ୍ତି ଉପରେ ୱାକ୍ଫ ବୋର୍ଡର ରହିଛି ଅବୈଧ କବଜା । ସେଥିମଧ୍ୟରୁ ତାମିଲନାଡୁରେ ସର୍ବଧିକ ରହିଛି । ଏହି ରାଜ୍ୟରେ ୭୩୪ ଏମିତି ସମ୍ପତ୍ତି ରହିଛି, ଯାହାକୁ ମାଡିବସିଛି ବୋର୍ଡ ବୋଲି ସୋମବାର ସଂସଦରେ କେନ୍ଦ୍ର ସରକାର ପକ୍ଷରୁ ରିପୋର୍ଟ ଉପସ୍ଥାପନ ହୋଇଛି । ଭାରତୀୟ କମ୍ୟୁନିଷ୍ଟ ଦଳର ନେତା ଜନ ବ୍ରିଟାସଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ, ଅଳ୍ପସଂଖ୍ୟକ ମାମଲାଗୁଡିକରେ ମନ୍ତ୍ରଣାଳୟ ୱାକ୍ଫ ସମ୍ପର୍କିତ ତଥ୍ୟ ଦିଆଯାଇଥିଲା । ଏଥିରେ କୁହାଯାଇଛି କି, ଦେଶରେ ୱାକ୍ଫ ଅଧିନିୟମ ଅନ୍ତର୍ଗତ ୮୭୨,୩୫୨ ଅଚଳ ଓ ୧୬,୭୧୩ ଚଳନ୍ତି ସମ୍ପତ୍ତି ପଞ୍ଜିକୃତ ହୋଇଛି ।
ଅଳ୍ପସଂଖ୍ୟକ ମାମଲାରେ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କି, ହସ୍ତଗତ ହୋଇଥିବା ତଥ୍ୟ ମୁତାବକ, ମୋଟ ୯୯୬ ସମ୍ପତ୍ତି ଉପରେ ୱାକ୍ଫ ବୋର୍ଡର ରହିଛି ଅବୈଧ କବଜା । ସେଥିରୁ ସର୍ବଧିକ ତାମିଲନାଡୁରେ ୭୩୪ ସମ୍ପତ୍ତି ଥିବାବେଳେ ଆନ୍ଧ୍ର ପ୍ରଦେଶରେ ୧୫୨, ପଞ୍ଜାବରେ ୬୩, ଉତ୍ତରାଖଣ୍ଡରେ ୧୧ ଓ ଜମ୍ମୁ କାଶ୍ମୀରରେ ୧୦ ରହିଛି । ତେବେ କେନ୍ଦ୍ରୀୟ ଆବାସ ଓ ସହରାଞ୍ଚଳ ମନ୍ତ୍ରଣଳାୟ କହିଛି କି, କେନ୍ଦ୍ର ଦ୍ୱାରା ୨୦୧୯ ପରେ ୱାକ୍ଫ ବୋର୍ଡକୁ କୌଣସି ଜମି ଦିଆଯାଇନାହିଁ । ଆହୁରି କୁହାଯାଇଛି କି, ଗତ ସପ୍ତାହରେ ଜେପିସି ଅଧ୍ୟକ୍ଷ ଜଗଦନ୍ୱିକା ପାଲ କହିଥିଲେ କି, ପ୍ୟାନେଲ ରାଜ୍ୟ ସରକାରଗୁଡିକୁ ବିବାଦୀୟ ୱାକ୍ଫ ସମ୍ପତ୍ତିର ବିବରଣୀ ମାଗିଥିଲେ ।
କୁହାଯାଉଛି, ବୋର୍ଡ କବଜା ପାଇଁ ସାରା ଦେଶରେ ସାଧାରଣ ନାଗରିକ ଚିନ୍ତିତ । ଲୋକଙ୍କ ଅଭିଯୋଗ ଗାଁ, ଜମି, ମନ୍ଦିର, ଚାଷଜମି ଆଦି ଉପରେ ବୋର୍ଡ ନିଜ ଆଧିପତ୍ୟ ସାବ୍ୟସ୍ତ କରୁଛି । ସେପଟେ ଏଏସଆଇର ୨୫୦ ସମ୍ପତ୍ତି ଉପରେ ବୋର୍ଡର କବ୍ଚା ରହିଥିବା ତଥ୍ୟ ଏଏସଆଇ ଜେପିସି ସମ୍ମୁଖରେ ଉପସ୍ଥାପନ କରିଛି । ପୂର୍ବରୁ ଏହି ସଂଖ୍ୟା ୧୨୦ ଥିଲା । କିନ୍ତୁ ତଦନ୍ତ ପରେ ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି । ଦିଲ୍ଲୀର ଫିରୋଜସାହ କୋଟଲାର ଜାମା ମସଜିଦ, ଦିଲ୍ଲୀର ଆରକେ ପୁରମରେ ଛୋଟ ଗୁମୁଟ, ହୌଜ ଖାସ ମସଜିଦ ଓ ଇଦଗାହ ଆଦି ଏଥିରେ ସାମିଲ ରହିଛି ।