ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଅକସ୍ମାତ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଏହା ହୃଦଘାତ ସହିତ ଅନେକ ରୋଗର କାରଣ ବୋଲି ଅନେକ ଦାବି କରିଛନ୍ତି । ଅନ୍ୟପଟେ ଯୁବପିଢିଙ୍କର ଅକସ୍ମାତ ମୃତ୍ୟୁ ହେଉଥିବା ବେଳେ ଏହା ପାଇଁ ମଧ୍ୟ କରୋନା ଟିକା ଦାୟୀ ବୋଲି କୁହାଯାଉଛି । ଏହାରି ଭିତରେ ବଡ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଯୁବପିଢିଙ୍କର ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ ବୋଲି କହିଛନ୍ତି । ଏହା ପଛରେ କରୋନା ଟିକାର କୌଣସି ଭୂମିକା ନାହିଁ ବୋଲି ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି । କରୋନା ଟିକା ମୃତ୍ୟୁ ପାଇଁ ଦାୟୀ ନୁହେଁ ବରଂ ମୃତ୍ୟୁହାର କମାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା । ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା । ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । ଏଥିପାଇଁ ଟିକା ଦାୟୀ ବୋଲି ଅନେକ ଦାବି କରିଥିଲେ । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା ଏକ ଅଧ୍ୟୟନ କରାଯାଇଥିଲା । ବର୍ତ୍ତମାନ ଏହି ରିପୋର୍ଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ବର୍ତ୍ତମାନ ଅନେକ ଦ୍ବନ୍ଦ ଦୂର କରିଛି।