ଡବଲ୍ ଧମାକା: ସରକାରୀ କର୍ମଚାରୀଙ୍କ ପାଇଁ ନର୍ସିଂ ଭତ୍ତା ଓ ଡ୍ରେସ୍ ଭତ୍ତା ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିଲେ । ସରକାରୀ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ହେବା ଫଳରେ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ପୁଣି ଦେଇଛନ୍ତି ଦୁଇଟି ବଡ଼ ଉପହାର । ଆଗକୁ ନୂଆବର୍ଷ ଆସୁଥିବା ବେଳେ ତା’ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଡବଲ୍ ଧମାକା ହୋଇଛି । ଏହି ଦୁଇ ଭତ୍ତା ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କ ବେତନରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ ।

ସୂଚନା ମୁତାବକ, କେନ୍ଦ୍ର ସରକାର ନର୍ସିଂ ଭତ୍ତା ଓ ଡ୍ରେସ୍ ଭତ୍ତା ବୃଦ୍ଧି କରିଛନ୍ତି । ମହଙ୍ଗା ଭତ୍ତା ୫୦ ପ୍ରତିଶତ ରହିଥିବା ସମୟରେ ସପ୍ତମ ବେତନ ଆୟୋଗ ଅନେକ ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । ସେପ୍ଟେମ୍ବରରେ ନର୍ସିଂ ଭତ୍ତା ଓ ଡ୍ରେସ ଭତ୍ତାକୁ ଯୋଗ୍ୟ କର୍ମଚାରୀଙ୍କ ପାଇଁ ସଂଶୋଧନ କରାଯାଇଥିଲା । ଗତ ଜୁଲାଇ ୪କୁ ଇପିଏଫଓ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଥିଲା ଯେ, ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ପରେ ଯେଉଁ ଭତ୍ତାଗୁଡ଼ିକ ଉପରେ ପ୍ରଭାବ ପଡ଼ିବନି, ସେଗୁଡ଼ିକୁ ୨୫ ପ୍ରତିଶତ ବୃଦ୍ଧି କରାଯିବ । ପ୍ରତି ଥର ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ପରେ ଡ୍ରେସ ଭତ୍ତା ବଢ଼ାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ରେ କୁହାଯାଇଥିଲା ।

ନର୍ସିଂ ଭତ୍ତା ସମସ୍ତ ନର୍ସିମାନଙ୍କୁ ଦିଆଯାଉଥିବା ବେଳେ ଏବେ ସେଥିରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ପରେ ନର୍ସିଂ ଭତ୍ତା ବୃଦ୍ଧି କରାଯିବ ବୋଲି ମଧ୍ୟ ସେପ୍ଟେମ୍ବର ୧୭ରେ କୁହାଯାଇଥିଲା । କେନ୍ଦ୍ରୀୟ ବେତନ ଆୟୋଗ ପ୍ରତି ୧୦ ବର୍ଷରେ ଗଠନ ହେଉଥିବା ବେଳେ ଏହା ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଓ ଲାଭର ସମୀକ୍ଷା କରିଥାଏ । ୨୦୧୬ ମସିହା ଜାନୁଆରୀ ୧ରେ ସପ୍ତମ ବେତନ ଆୟୋଗ ଲାଗୁ ହୋଇଥିଲା । ପ୍ରତ୍ୟେକ ଥର ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ପରେ ଡ୍ରେସ ଭତ୍ତା ୨୫ ପ୍ରତିଶତ ବଢ଼ାଯିବ ବୋଲି ମଧ୍ୟ ସେପ୍ଟେମ୍ବର ୧୭ରେ କୁହାଯାଇଥିଲା ।