(Video) ଶୋଇଥିବା ବେଳେ ଜଳିଗଲେ DSP; ପରିବାର ସହ ଅଫିସରଙ୍କ ଶବ ଉଦ୍ଧାର କଲା ପୋଲିସ

ନୂଆଦିଲ୍ଲୀ: ଖାଇ-ପିଇ ରାତିରେ ପରିବାର ସହ ଶାନ୍ତିରେ ଶୋଇଥିଲେ, କିନ୍ତୁ ଅଚାନକ ଘରେ ନିଆଁ ଲାଗିଗଲା । ଆଉ ଏହି ନିଆଁରେ ଜଳି ଯାଇଛନ୍ତି ପୋଲିସ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ । ଡିଏସପିଙ୍କ ସହ ତାଙ୍କର ପରିବାର ମଧ୍ୟ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଡିଏସପିଙ୍କ ଘରେ ଲାଗିଥିବା ଏହି ନିଆଁରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଶିବ ନଗରରେ ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗି ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୪ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଅବସର ନେବା ପରେ ଡିଏସପି ଘରେ ରହିବାକୁ ଆସିଥିଲେ । ଘରେ ସବୁଦିନ ପରି ରାତ୍ରି ଭୋଜନ ସାରି ସମସ୍ତେ ଶୋଇବାକୁ ଯାଇଥିଲେ ଜ୍ଝ ଆଉ ସେଇ କାଳ ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୬ ଜଣଙ୍କ ଜୀବନ ଚାଲିଯାଇଛି ।ଅଗ୍ନିକାଣ୍ଡରେ ଡିଏସ୍ପିଙ୍କ ବ୍ୟତୀତ ତାଙ୍କ ପତ୍ନୀ, ପୁଅ, ଝିଅ ଓ ଝିଅର ପୁଅଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତଙ୍କୁ କାଠୁଆ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି । ଅବସରପ୍ରାପ୍ତ ଡିଏସ୍ପିଙ୍କ ଭଡା ଘରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛନ୍ତି କାଠୁଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଏସ.କେ ଅଟ୍ରି ।

ଅଗ୍ନିକାଣ୍ଡ ପରେ ଘରୁ ବାହାରିନପାରି ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସ.କେ ଅଟ୍ରି । ଦୁର୍ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।