ମାଲକାନଗିରି: ନକ୍ସଲ କାର୍ଯ୍ୟକଳାପରେ ଅତିଷ୍ଟ ହୋଇପଡିଲେଣି ମାଓବାଦୀ । ସେପଟେ ପୋଲିସ ଓ ସୁରକ୍ଷା ବଳଙ୍କ ଆକ୍ସନ ସେମାନଙ୍କୁ ଦେଇଛି ବଳ । ତେଣୁ ଗ୍ରାମବାସୀ ନେଇଛନ୍ତି ବଡ ପଦକ୍ଷେପ । ଯାହାକୁ ପ୍ରଶଂସା ନ କରି ରହି ହେବ ନାହିଁ । ଦୀର୍ଘ କାଳ ନକ୍ସଲଙ୍କ ଆତଙ୍କତଳେ ମୁଣ୍ଡ ନୁଆଁଇ ରହୁଥିବା ଗ୍ରାମବାସୀ ଦେଖାଇଛନ୍ତି ସାହସ । ମାଓ ନେତା ଉପରେ ନେଇଛନ୍ତି କଠୋର ପଦକ୍ଷେପ ।
ନକ୍ସଲ ସଂଗଠନର ଦୁର୍ଦ୍ଦାନ୍ତ ନେତା ହିଡ଼ମାର ପୈତୃକ ଘରକୁ ଭାଙ୍ଗି ରୁଜି ଧୂଳିସାତ କରିଦେଇଛନ୍ତି ଗ୍ରାମବାସୀ। ଖାଲି ସେତିକି ନୁହେଁ, ମାଓ ସଙ୍ଗଠନର ଅନ୍ୟତମ ହାର୍ଡକୋର୍ ନେତା ଦେବାର ଘର ମଧ୍ୟ ଭାଙ୍ଗି ଦେଇଛନ୍ତି ଗ୍ରାମବାସୀଙ୍କ ସମୂହ ମେଳି। ସୁରକ୍ଷାକର୍ମୀଙ୍କ ସହଯୋଗରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ନକ୍ସଲ ନେତା ହିଡ଼ମାକୁ ଛତିଶଗଡ଼ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୁଲିସ ଖୋଜୁଛି। ଛତିଶଗଡ଼ ପୁଲିସ ଲଗାତାର ନକ୍ସଲ ଦମନରେ ସଫଳତା ହାସଲ କରିଥିଲେ ସୁଦ୍ଧା ହିଡ଼ମାକୁ ଧରିବାରେ ସଫଳ ହୋଇପାରୁ ନାହିଁ। ସେପଟେ ସୁରକ୍ଷା ବଳଙ୍କ ମାଓ ଅପରେସନରେ ଲୋକଙ୍କ ଭିତରେ ଆଶାର ସଂଚାର ହୋଇଛି । ପୂର୍ବର ସେ ଭୟ ଧୀରେ ଧୀରେ ଲୋକଙ୍କ ଭିତରେ ହ୍ରାସ ପାଇଛି । ସେଥି ପାଇଁ ତ ଡର ଭୟକୁ ପଛରେ ପକାଇ ଏତେ ଦୁର୍ଦ୍ଦାନ୍ତ ମାଓ ନେତାର ଘର ଭାଙ୍ଗିବାର ସାହସ ଜୁଟାଇଛନ୍ତି ଗ୍ରାମବାସୀ ।
ଲୋକଙ୍କ ଭିତରେ ମାଓବାଦୀଙ୍କ ପ୍ରତି ଥିବା ଭୟ ହ୍ରାସ ପାଉଥିବା ଦେଖି ମାଓବାଦୀ ମଧ୍ୟ ଚିନ୍ତାରେ । ଏହି ଉଗ୍ରବାଦୀ ସଂଗଠନ ଲୋକଙ୍କ ଭିତରେ ପୂର୍ବର ସେହି ଭୟ ଫେରାଇବାକୁ ନୂଆ କିଛି ତାଣ୍ଡବ ଯେ ନ କରିବ ତାକୁ ଏଡାଯାଇ ନ ପାରେ ।