ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବର୍ଷାରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବର୍ଷା ସହ ପ୍ରବଳ ଶୀତଳ ଲହରୀ ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟରେ ପାଗ ଏପରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବର୍ଷାକୁ ନେଇ ଏବେ ରାଜ୍ୟର ଚାଷୀଭାଇଙ୍କ ମଧ୍ୟରେ ଫସଲ ହାନୀକୁ ନେଇ ଆଶଙ୍କା ଦେଖିବାକୁ ମିଳିଛି ।

ତେବେ ଗୋଟିଏ ପଟେ ବର୍ଷାକୁ ନେଇ ଚାଷୀମାନେ ଆଶଙ୍କା ଘେରରେ ରହିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଧାନ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା ରହିଛି । ମଣ୍ଡିରେ ଧାନ ଓଦା ହେବାର ସମ୍ଭାବନା କମ୍ ରହିଛି । ବର୍ଷା କାରଣରୁ ବିଲରେ ଧାନ ଗଜା ହୋଇପାରେ । ବର୍ଷା କମିବା ପରେ ଧାନ ଶୁଖିଲା ପରେ ମଣ୍ଡିରେ କିଣାଯିବ । ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏନେଇ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀମାନେ ଚିନ୍ତାରେ ରହିଛନ୍ତି । ଏପରି ସ୍ଥିତିରେ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚାଷୀଭାଇଙ୍କ ମନରେ ଏକ ନୂଆ ସଞ୍ଚାର କରିଛି ।