ମଥୁରା- ମନ୍ଦିରକୁ ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ, ଚିରା ଫଟା ଜିନ୍ସ ପିନ୍ଧି ଆସିଲେ ମିଳିବନି ଏଣ୍ଟ୍ରୀ । ମନ୍ଦିର ପ୍ରଶାସନ ତରଫରୁ ଆସିଲା ଏହି ନିର୍ଦ୍ଦେଶ । ଜାରି ହେଲା କଟକଣା ବିଜ୍ଞପ୍ତି । ନୂଆବର୍ଷ ଆଗରୁ ମଥୁରା, ବୃନ୍ଦାବନର ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ପ୍ରଶାସନ ଲଗାଇଲା କଟକଣା । ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ତଥା ଦର୍ଶନାର୍ଥୀଙ୍କୁ ମନ୍ଦିରକୁ ଆସିବା ବେଳେ ସୌଜନ୍ୟପୂର୍ଣ୍ଣ ପୋଷାକ ପରିଧାନ କରିବାକୁ କୁହାଯାଇଛି ।
ନୂଆ ବର୍ଷର ଠିକ ଆଗରୁ ମନ୍ଦିର ପ୍ରଶାସନ ଏହି ନିବେଦନ କରିଛି । ନୂଆ ବର୍ଷରେ ମନ୍ଦିରରେ ବହୁତ ଭିଡ ହେବ । ଏହା ପୂର୍ବରୁ ମନ୍ଦିର ପ୍ରଶାସନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କୁ ସଠିକ ପୋଷାକ ପିନ୍ଧିବାକୁ ଅପିଲ କରିଛି । ଏଥିରେ ମିନି ସ୍କର୍ଟ, ଚିରା ଜିନ୍ସ, ହାପ ପ୍ୟାଣ୍ଟ, ନାଇଟ ସୁଟ ପିନ୍ଧି ନ ଆସିବାକୁ କୁହାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି କି, ମନ୍ଦିରର ଗରିମା ଓ ପବିତ୍ରତା ବଜାୟ ରଖିବା ଉଦ୍ଦେଶ୍ୟରେ ଏପରି ଅଶାଳୀନ ପୋଷାକ ପିନ୍ଧି ଭକ୍ତ ମନ୍ଦିରକୁ ନ ଆସନ୍ତୁ ।
ଏହି ଅପିଲ ବିଭିନ୍ନ ଗଣମାଧ୍ୟମର ଚାନେଲ, ଓ ବ୍ୟାନର ଜରିଆରେ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଏହି ବ୍ୟାନର ଲଗାଇ ଲୋକଙ୍କୁ ସଚେତନ କରାଯାଉଛି । ଏହାକୁ ନେଇ ମନ୍ଦିରର ପରିଚାଳକ ମନିଶ ଶର୍ମା କହିଛନ୍ତି କି, ସାଂସ୍କୃତିକ ଗରିମା ବଜାୟ ରଖିବାକୁ ଏପରି ଏକ ପଦକ୍ଷେପ ନିଆଯାଇଛି ।
ସେ କହିଛନ୍ତି ବାହାରୁ ଆସୁଥିବା ଲୋକେ ଅଶାଳୀନ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।