୪୫ ସହରରେ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ଦେବେ Appointment Letter

ନୂଆଦିଲ୍ଲୀ- ଆସନ୍ତା କାଲି, ଡିସେମ୍ବର ୨୩ ତାରିଖରେ ରୋଜଗାର ମେଳା ଅନ୍ତର୍ଗତ ୭୧ ହଜାର ଚାକିରି ଆଶାୟୀ ପାଇବେ ନିଯୁକ୍ତି । ସେମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତଥା ସଂଗଠନରେ ଏହି ନିଯୁକ୍ତି ମିଳିବ । ଏମାନଙ୍କ ଚୟନ ହୋଇସାରିଥିବା ବେଳେ ରୋଜଗାର ମେଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ନିଯୁକ୍ତି ପତ୍ର ବଣ୍ଟନ କରିବେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତଥା ସଂଗଠନ ପାଇଁ ହୋଇଥିବା ପରୀକ୍ଷାରେ ସିଲେକ୍ଟେଡ ହୋଇଥିବା ୭୧ହଜାର କୃତୀ ଚାକିରି ଆଶାୟୀଙ୍କ ପାଇଁ ଆସନ୍ତା କାଲି ଏକ ମେଗା ରୋଜଗାର ମେଳା ଆୟୋଜନ ହେବାକୁ ଯାଉଛି । ୨୩ ଡିସେମ୍ବର ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପ୍ରଦାନ କରିବେ । ଏଥିସହ ନବ ନିଯୁକ୍ତଙ୍କୁ ଅଭିଭାଷଣ ପ୍ରଦାନ କରିବେ ।

ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ରୋଜଗାର ମେଳା । ଦେଶର ଯୁବପିଢି ନିଜକୁ ସଶକ୍ତି କରିବା ସହ ରାଷ୍ଟ୍ର ଗଠନରେ ନିଜ ଭାଗିଦାରୀ ପ୍ରଦାନ କରିବା ଏହି ମେଳାର ଲକ୍ଷ୍ୟ । ତେଣୁ ଆସନ୍ତା କାଲି ଦେଶର ୪୫ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଯୋଗଦେବେ । ଦେଶବ୍ୟାପୀ ବିଭିନ୍ନ ମନ୍ତ୍ରଣାଳୟରେ ଖାଲି ଥିବା ତଥା ନୂଆ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ ।