ଧୌଲପୁର- ରାଜସ୍ଥାନର ଧୌଲପୁରରେ ଲଜ୍ଜାର ଘଟଣାରେ ରୋକ ଲାଗୁନି । ଦୁଇ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୋଗ ଆଧାରରେ କେଶ ଦାୟର କରିବା ସହ ଉଭୟ ମହିଳାଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଉଛି ।
ସୂଚନା ମୁତାବକ, ଧୌଲପୁର ବାଡି ଥାନା ଅଞ୍ଚଳରେ ହୋଇଛି ଦୁଇ ମହିଳାଙ୍କୁ ଦୁଷ୍କର୍ମ । ତାହା ପୁଣି ସେମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା । ପୋଲିସ ମୁତାବକ, ଗୋଟିଏ ମାମଲାରେ ୩୫ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି କି, ଗତ ଡିସେମ୍ବର ୪ ତାରିଖରେ ଘରେ ସେ ଏକା ଥିଲେ । ପିଲାମାନେ ସ୍କୁଲ ଯାଇଥିଲେ । ଏହି ସମୟରେ ସମ୍ପର୍କୀୟ ଦିଅର ଘରକୁ ଆସିଥିଲେ । ମହିଳାଙ୍କୁ ଏକା ଦେଖି ଘରର ଦ୍ୱାର ବନ୍ଦ କରି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ତା ପରେ ଏହି କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଚାଲିଯାଇଥିଲା । କିଛି ସମୟ ପରେ ଅଭିଯୁକ୍ତ ଦିଅର ନିଜ ପରିବାର ଲୋକଙ୍କ ସହ ଆସି ମହିଳାଙ୍କୁ ଠେଙ୍ଗାରେ ମାରିଥିଲେ ।
ଦ୍ୱିତୀୟ ମହିଳାଙ୍କର ମଧ୍ୟ ସମାନ ଅଭିଯୋଗ ରହିଛି । ଗତ ୩ ତାରିଖରେ ସେ ଏକା ଘରେ ଥିବା ବେଳେ ଭଜଣା ସମ୍ପର୍କରେ ହେଉଥିବା ଯୁବକ ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିଥିଲା ଓ ସେଠାରୁ ଫେରାର ହୋଇଯାଇଥିଲା । ଉଭୟ ମହିଳା ଏହି ଘଟଣାରେ ସିଧା କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାର ତଦନ୍ତ କରୁଛି ।