ବିନା କଣ୍ଟା ଓ ଅଠାରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି ନିଆରା କାରିଗର ନିରାକାର

ପୁରୀ: ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ଚକା ଆଖି, ଭାବ ବିନୋଦିଆ, ହଟିଆ ଆଉ କେତେ କଣ ନାଁରେ ସେ ଭକ୍ତଙ୍କ ଗହଣରେ ପରିଚିତ । ତାଙ୍କ ଲୀଳା ଅପାର । ତାଙ୍କ ଦର୍ଶନ ମାତ୍ରକେ ମନ ଆନନ୍ଦିତ ହୋଇଉଠେ । ଅନେକ କଳାକାର ଜଗନ୍ନାଥଙ୍କୁ ନେଇ କବିତା, ଗପ, ଗୀତ ଲେଖିଥାନ୍ତି ଓ ଚିତ୍ର ମଧ୍ୟ ଆଙ୍କିଥାନ୍ତି । ଶିଳ୍ପୀର ନିହଣ ମୁନ ସ୍ପର୍ଶରେ ସତେ ଅବା ପଥର ଓ କାଠ ଜୀବନ୍ତ ହୋଇଉଠେ ଜଗନ୍ନାଥଙ୍କ ମୂର୍ତ୍ତି ମାଧ୍ୟମରେ । ଏଭଳି ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ପୁରୀରେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱ ରୂପ ଦେବାକୁ ମନରେ ଭାବଛନ୍ତି ଏହି କାରିଗର । ପ୍ରାୟ ୫ ବର୍ଷ ହେଲା ସେ ଚେଷ୍ଟା ଜାରି ରଖିଛନ୍ତି । ଏହି ଜଗନ୍ନାଥ ମୂର୍ତ୍ତି ତିଆରି କରିବାକୁ ମାତ୍ର ଗୋଟିଏ ନମ୍ବ କାଠ ବ୍ୟବହାର କରିଛନ୍ତି କାରିଗର । କାଠକୁ ଆଠଫାଳ କରି ଏହି ମୂର୍ତିକୁ ତିଆରି କରିଛନ୍ତି । ଆଉ ବଡ଼ କଥା ହେଉଛି ଯେ ଯେମିତି ଜଗନ୍ନାଥଙ୍କ ମୂର୍ତିରେ କୌଣସି କଣ୍ଟା କି କ୍ଷୟ ନାହିଁ ସେମିତି ଗୋଟେ ନିମ୍ବ ବୃକ୍ଷର ଗଣ୍ଡିରେ ବିନା କଣ୍ଟା ଏବଂ ବିନା ଅଠାରେ ପ୍ରସ୍ତୁତ କରୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଅବିକଳ ମୂର୍ତ୍ତି । ଯାହାକୁ ପୁରା ବିଶ୍ୱ ଦେଖିବ । ଏଭଳି ଏକ ଅଦ୍ଭୁତ କଳା କୃତିରେ ପ୍ରତିମୂର୍ତ୍ତି ଗଢ଼ିଛନ୍ତି ନିରାକାର ମହାରଣା । ତାହା ପୁଣି ମାଟିତୋଟା ସୁଜାତା ନଗର ମଙ୍ଗଳା ମନ୍ଦିରରେ । ମନରେ ଅନେକ ସ୍ୱପ୍ନ ନେଇ ଦୀର୍ଘ ପାଞ୍ଚ ବର୍ଷ ହେଲାଣି ପ୍ରୟାସ ଚଲାଇଅଛନ୍ତି । ସ୍ୱପ୍ନରେ ଯାହା ଭାବିଥିଲେ ତାହା ଏବେ ପୂର୍ଣ୍ଣ ହେବାକୁ ଯାଉଛି ।

ତେବେ କଳାକାଙ୍କ କହିବା ଅନୁଯାଇ ଏବେ ମାତ୍ର ୭୦% ଭାଗ ସରିଥିବା ବେଳେ ଆଉ ମାତ୍ର ୩୦% ଭାଗ ବାକି ରହିଛି । ଯାହାକୁ ଥରେ ଦେଖିଲେ ଆଖିର ପଲକ ମଧ୍ୟ ପଡିବ ନାହିଁ । ଏହି ମୂର୍ତ୍ତିରେ ସେ ଆହୁରି କାର୍ଯ୍ୟ ବାକି ରଖିଛନ୍ତି ଯେପରି ୩୩ କୋଟି ଦେବତାଙ୍କ ଚିତ୍ର ଅବା ପ୍ରତିମୂର୍ତ୍ତି ଆଙ୍କିବେ ତାପରେ ମନ୍ଦିର ପ୍ରଶାସନକୁ ଦେବେ । ନିରାକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଏହି ମୂର୍ତ୍ତି ଗୁଣ୍ଡିଚା ଘରେ ରହି ପୂଜା ପାଆନ୍ତୁ ଏବଂ ଯେକୌଣସି ଶ୍ରଦ୍ଧାଳୁ ଆସିଲେ ଗୁଣ୍ଡିଚା ମନ୍ଦିର ଯାଇ ଦର୍ଶନ ମଧ୍ୟ କରିପାରିବେ ।