ନୂଆଦିଲ୍ଲୀ- ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ମାସ ହେବ ବିନୋଦ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଥଣ୍ଡା ସମ୍ବନ୍ଧିତ ସମସ୍ୟା ଲାଗି ରହିଥିଲା । ଶନିବାର ତାଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ହେବାରୁ ତାଙ୍କୁ ଥାନେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି ।
ତେବେ ସୋସିଆଲ ମିଡିଆରେ କାମ୍ବଲିଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କୁ ସଚିନଙ୍କ ସହ ଦେଖିବାକୁ ମିଳିଥିଲା । ଉଭୟ ସେମାନଙ୍କ ପିଲା ଦିନର କୋଚ ରମାକାନ୍ତ ଅଚରେକରଙ୍କ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ ।ସେହି ଭିଡିଓରେ କାମ୍ବଲିଙ୍କ ସ୍ୱାସ୍ଥ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ବହୁତ ରୋଗିଣା ଦେଖାଯାଉଥିଲେ ।
ନ୍ୟୁଜ ଏଜେନ୍ସି ଆଇଏଏନଏସ ରିପୋର୍ଟ ମୁତାବକ, ହସ୍ପିଟାଲରେ କାମ୍ବଲିଙ୍କ ଦୁଇଟି ଫଟୋ ଏକ୍ସରେ ସେୟାର ହୋଇଛି । ଏଥିରେ ସେ ହସ୍ପିଟାଲ ବେଡରେ ଶୋଇଛନ୍ତି ଓ ତାଙ୍କ ଚେକଅପ ଚାଲିଛି । ତେବେ କ୍ୟାପ୍ନସରେ ଲେଖା ଅଛି କି, ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି, କିନ୍ତୁ ସେ ଗମ୍ଭୀର ରୂପେ ଅସୁସ୍ଥ ଅଛନ୍ତି । ସୋମବାର ଜଣେ କାମ୍ବଲିଙ୍କ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଥମ୍ବ୍ସ ଅପ କରିଥିବା ଦେଖିବାକୁ ମିଳିଛି ।