‘କହିଥିଲେ, ହାଣିଦେଲେ’: ଲିପିକା ସହ ଟକ୍କର ମହଙ୍ଗା ପଡ଼ିଲା

‘ପୋଲିସ ବଳରେ ଦାଦାଗିରି କରୁଛୁ ତ! କିନ୍ତୁ ମନେରଖ ପୋଲିସ ତୋତେ ବଞ୍ଚାଇପାରିବନି। କୋଉ ପୋଲିସ ବୋପା ତୋ ପିଠିରେ ପଡ଼ିବ, ଆମେ ଦେଖିବୁ। ଯେଉଁ ପୋଲିସ ବଳରେ ଆମ ଦାନାପାଣି ମାରୁଛୁ, ସେହି ପୋଲିସ ଥାନା ଦୁଆରେ ତୋ କଟାମୁଣ୍ଡକୁ ଥୋଇଦେବୁ।”

ଭୁବନେଶ୍ୱର: ରାଜଧାନୀର ରାଜା ରାସ୍ତାରେ ସିନେମା ଷ୍ଟାଇଲରେ ହତ୍ୟା। ଦିନେ କହିଥିଲେ ‘ପୋଲିସ ବଳରେ ଦାଦାଗିରି କରୁଛୁ ତ! କିନ୍ତୁ ମନେରଖ ପୋଲିସ ତୋତେ ବଞ୍ଚାଇପାରିବନି। କୋଉ ପୋଲିସ ବୋପା ତୋ ପିଠିରେ ପଡ଼ିବ, ଆମେ ଦେଖିବୁ। ଯେଉଁ ପୋଲିସ ବଳରେ ଆମ ଦାନାପାଣି ମାରୁଛୁ, ସେହି ପୋଲିସ ଥାନା ଦୁଆରେ ତୋ କଟାମୁଣ୍ଡକୁ ଥୋଇଦେବୁ।” ପୋଲିସ ମିତ୍ର ସହଦେବଙ୍କୁ ଏଭଳି ଧମକ ଦେଇଥିଲେ ଅଭିଯୁକ୍ତ। ଆଉ ସତ ସତିକା ମୁଣ୍ଡ କାଟିଦେଲେ।

ରସୁଲଗଡ଼ ଓଭରବ୍ରିଜ ଉପରେ ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ନୟାଗଡ଼ ଶରଣକୂଳ ଅଞ୍ଚଳରୁ ୩ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରହିଛି ମାଷ୍ଟରମାଇଣ୍ଡ୍ ଲିପିକା ନାୟକ। ତଦନ୍ତରୁ ଜଣାପଡ଼ିଛି ଯେ ଲିପିକା ସଫେଇ କର୍ମଚାରୀ ଥିଲା। ୪ମାସ ସଫେଇ କର୍ମଚାରୀଭାବେ ନିଯୁକ୍ତି ଦେଉଥିବା ସଂସ୍ଥା ଲିପିକା ଓ ତା’ର ସ୍ବାମୀ ତଥା ଅନ୍ୟତମ ଅଭିଯୁକ୍ତ ଲକ୍ଷ୍ମୀଧରକୁ ଛଟେଇ କରିଥିଲା। ଏଥିରେ ସହଦେବର ହାତ ଥିବା ଲିପିକା ସନ୍ଦେହ କରିଥିଲେ।

ସେହିଭଳି ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ଲିପିକାକୁ କ୍ୟାପିଟାଲ୍ ଥାନା ପୋଲିସ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲା। ଏଥିରେ ମଧ୍ୟ ସହଦେବର ହାତ ଥିବା ଲିପିକା ଓ ସହଦେବର ପ୍ରତିପକ୍ଷ ସନ୍ଦେହ କରିଥିଲେ। ଗତ ୫ତାରିଖ ଦିନ ଲିପିକା ଜାମିନରେ ଜେଲ୍‌ରୁ ମୁକୁଳିଥିଲେ। ଚାକିରି ହରାଇବା ଓ ନିଶା ବେପାରରୁ କରୁଥିବା ରୋଜଗାର ହରାଇବା ପରେ ଲିପିକା ହିଂସ୍ର ହୋଇଉଠିଥିଲା। ଆଉ ବେଶି ଦିନ ସମୟ ନେବାକୁ ସେ ଚାହିନଥିଲା । ତେଣୁ ସ୍ବାମୀ ଲକ୍ଷ୍ମୀଧର ଓ ଅନ୍ୟତମ ଅଭିଯୁକ୍ତ ରକି ନାୟକ ସହ ସେ ମଙ୍ଗଳବାରଠାରୁ ଯୋଜନା କରିଥିଲା। ଆଉ ସନ୍ଧ୍ୟାରୁ ଲିପିକା ଶରଣକୂଳ ପଳାଇଥିଲା ଏବଂ ବୁଧବାର ସକାଳୁ ଲକ୍ଷ୍ମୀଧର ଓ ରକି ପିଛା କରିକରି ସହଦେବଙ୍କୁ ହତ୍ୟା କରିଥିଲେ ।