ଭଦ୍ରକ: ଦିନକୁ ଦିନ ବୃଦ୍ଧି ପାଉଛି ଭଡ଼ାଟିଆଙ୍କ ମନମାନି । ବିଶ୍ୱାସରେ ବିଷ ଦେଇ ଲୁଟିଲେ ଘର ମାଲିକର ଘର ।
ଏଥିପାଇଁ ଆଜିକାଲି ଭଡ଼ାଟିଆଙ୍କୁ ନେଇ ଘର ମାଲିକଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି । କାହାକୁ ବି ଭଡ଼ାରେ ରଖିବା ପୂର୍ବରୁ ସମସ୍ତ କାଗଜପତ୍ର ଯାଞ୍ଚ୍ କରିବା ପରେ ମଧ୍ୟ ସୁଧୁରିନାହାଁନ୍ତି ଭଡ଼ାଟିଆ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକରେ ।
ଚୋର ଭଡ଼ାଟିଆ: ଯେଉଁ ଘରେ ରହିଲେ ସେହି ଘରେ ଚୋରି କଲା ଭଡ଼ାଟିଆ । ମଉକା ଦେଖି ମାଲିକାଣୀ ଘରେ ୨ ଥର ବୁଲାଇଥିଲା କଳାକନା ।
ଘର ମାଲିକାଣୀଙ୍କ ଅଭିଯୋଗ ପରେ ପୋଲିସ ଭଡ଼ାଟିଆଙ୍କ ଘର ଛାନଭିନ୍ କରିଥିଲା ଓ ଚୋରୀ ସାମଗ୍ରୀ ମିଳିଥିଲା ।
ଭାଙ୍ଗିଗଲା ସ୍ୱପ୍ନ: ସ୍ୱାମୀ ଦୁନିଆ ଛାଡ଼ିବା ପରେ ଦି ପଇସା ରୋଜଗାର ପାଇଁ ତଳ ଘରେ ବଢ଼ିଲା ଝିଅ ସହ ରହି ଉପର ଘରକୁ ଭଡ଼ାରେ ଦେଇଥିଲେ । ସ୍ୱାମୀ ଯିବା ପରେ ଏଇ ଘରହିଁ ଥିଲା ଶେଷ ସନ୍ତକ ।
ଏଇଥିରୁ ଦୁଇ ପଇସା ଯୋଡ଼ି କିଛି ଦିନ ପରେ ଝିଅ ବାହାଘର କରିଥାନ୍ତେ । ହେଲେ ଉପରେ ରହୁଥିବା ଭଡ଼ାଟିଆ ଭାଙ୍ଗିଦେଲା ଘର ମାଲିକାଣୀଙ୍କ ସବୁ ସ୍ୱପ୍ନ ।
ପୋଲିସର ଅବହେଳା: ଭଡ଼ାଟିଆଙ୍କ ଘରୁ ଉପଯୁକ୍ତ ପ୍ରମାଣ ମିଳିବା ପରେ ମଧ୍ୟ ପୋଲିସ ହାତ ବାନ୍ଧି ବସିଛି ।
ଶେଷରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବା ଦେଖି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ମାଆ-ଝିଅ ।
ଜାଣନ୍ତୁ ମାମଲା: ଅଭିଯୋଗ ଅନୁଯାୟୀ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ କୁଆଂସ ଅଞ୍ଚଳର କଲ୍ୟାଣୀ ସାହୁଙ୍କ ଘରୁ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା ।
ସହରାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ସନ୍ଦେହରେ ଘରେ ଭଡ଼ାରେ ରହୁଥିବା ଦୁଇ ଜଣଙ୍କୁ ପଚରାଉଚୁରା କରିଥିଲା । ପରେ ଯାଞ୍ଚ ବେଳେ ଭଡ଼ାଟିଆଙ୍କ ଘରୁ କିଛି ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲା ।