ହ୍ୱାଟସଆପରେ ନେଉଥିଲେ ଅର୍ଡର, ଟିଫିନ ବକ୍ସରେ ଯୋଗାଉଥିଲେ ବନ୍ଧୁକ, ପୋଲିସ ପାଉନଥିଲା ଟେର୍
ପୋଲିସକୁ ଚକମା ଦେଇ ଟିଫିନ ବକ୍ସରେ କରୁଥିଲେ ବନ୍ଧୁକ ବେପାର। ହ୍ୱାଟସଆପରେ ନେଉଥିଲେ ଅର୍ଡର। ପର୍ଦ୍ଦାଫାସ କଲା ପୋଲିସ। ଦୁଇ ଅପରାଧୀ ଗିରଫ
ନୂଆଦିଲ୍ଲୀ: ହ୍ୱାଟସଆପରେ ଅର୍ଡର ନେଉଥିଲେ। ଟିଫିନ ବକ୍ସରେ ପିସ୍ତଲ ଯୋଗାଉଥିଲେ। ଆଉ ଏବେ ସେହି ବେଆଇନ ପିସ୍ତଲ କାରଖାନା ଠାବ କରିଛି ପୋଲିସ। କେବଳ କାରଖାନା ଠାବ ହୋଇଛି ତାହା ନୁହେଁ ପୋଲିସକୁ ମଧ୍ୟ ବଡ଼ ସଫଳତା ମିଳିଛି।
କାରଣ ବେଆଇନ ପିସ୍ତଲ କାରଖାନାର ପର୍ଦ୍ଦାଫାସ କରିବା ସହ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଛି ମେରଠ ପୋଲିସ। ଦୁହେଁ ହ୍ୱାଟସଆପ ମାଧ୍ୟମରେ ଅସ୍ତ୍ରଶସ୍ତ୍ରର ଫଟୋ ପଠାଇ ଅର୍ଡ଼ର ନେଉଥିଲେ।
ଜବତ ସାମଗ୍ରୀ: ପୋଲିସ ଏବଂ ସ୍କ୍ୱାର୍ଟ ଟିମ୍ ମିରଟର କୋତୱାଲି ଥାନା ଟପଚିୱାଡା ଅଞ୍ଚଳରେ ଏକ ବେଆଇନ ପିସ୍ତଲ କାରଖାନାର ପର୍ଦ୍ଦାଫାଶ କରିଛନ୍ତି। ଯେଉଁଥିରେ ପିସ୍ତଲର ଦାମ୍ ଥିଲା ତିନି ହଜାରରୁ ପାଞ୍ଚ ହଜାର ଟଙ୍କା।
ଏହି ଅପରେସନରେ, ୧୦ଟି ସମାପ୍ତ ଏବଂ ୧୨ଟି ଅସମ୍ପୂର୍ଣ୍ଣ ପିସ୍ତଲ, ଅସ୍ତ୍ରଶସ୍ତ୍ର ତିଆରି ଉପକରଣ ଏବଂ ଗୋଟିଏ ମୋଟରସାଇକେଲ ସମେତ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି।
ଅପରାଧୀଙ୍କ ପରିଚୟ: ପୋଲିସ ଘଟଣାସ୍ଥଳରୁ ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅପରାଧୀଙ୍କ ନାମ ଶୌକିନ୍ ଏବଂ ଇକବାଲ୍ ବୋଲି ପୋଲିସ ପକ୍ଷରୁ ଜଣାପଡିଛି।
ଉଭୟ ଅପରାଧୀ ଦୀର୍ଘ ଦିନ ଧରି ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ଯୋଗାଣରେ ଜଡିତ ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି କାରଖାନା ଏକ ଖାଲି ଘରେ ଚାଲୁଥିଲା।
କିପରି ନେଉଥିଲେ ଅର୍ଡର: ଗିରଫ ଅପରାଧୀମାନେ ହ୍ୱାଟସଆପ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ରର ଫଟୋ ପଠାଉଥିଲେ ଏବଂ ଅର୍ଡର ନେଉଥିଲେ।
ଏହାପରେ, ବ୍ୟାଗ କିମ୍ବା ଖାଦ୍ୟ ଟିଫିନରେ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଉଥିଲା। ଯାହା ଯୋଗୁଁ କାହାରି ସନ୍ଦେହ ହୋଇପାରୁ ନଥିଲା। ହେଲେ ଏବେ ଏହି ବେଆଇନ କାରବାରର ପର୍ଦ୍ଦାଫାସ କରିଛି ପୋଲିସ।