ଦିନ ମଜୁରୀଆଙ୍କ ମୁଣ୍ଡରେ ୨ କୋଟିର ଟ୍ୟାକ୍ସ, ଆୟ ମାତ୍ର ୧୬ ହଜାର

ଜିଏସଟି ବିଭାଗର ନୋଟିସ୍ ଦେଖି ମଜୁରୀଆ ତାଜୁବ। ୧୬ ହଜାର ଆୟ ହେଲେ ୨ କୋଟିର ଟ୍ୟାକ୍ସ। କାହିଁକି ଆସିଲା ଏତେ ଟଙ୍କାର ନୋଟିସ୍।

ଗୁଜୁରାଟ: ଦିନ ମଜୁରୀଆଙ୍କ ଆୟ ୧୬ ହଜାର। ହେଲେ ତାଙ୍କ ଉପରେ ଜିଏସଟି ବିଭାଗ ଲଗାଇଛି ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ। ଯାହାକି ଦୁଇ କୋଟି ଟ୍ୟାକ୍ସ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଉ ଏହି ନୋଟିସ୍ ଦେଖିବା ପରେ ମଜୁରୀଆଙ୍କ ପାଦ ତଳୁ ମାଟି ଖସିଯାଇଛି। ଗୁଜରାଟର ପାଟଣା ଜିଲ୍ଲାରୁ ଏପରି ଅଶ୍ଚର୍ଯ୍ୟ କଲାଭଳି ଘଟଣା ଆସିଛି। ନିଜେ ବ୍ୟକ୍ତି ଜଣଙ୍କ ବୁଝି ପାରୁନାହାନ୍ତି ତାଙ୍କ ପାଖକୁ ଏତେ ଟଙ୍କାର ନୋଟିସ୍ କାହିଁକି ଆସିଛି।

କାହିଁକି ଆସିଲା ନୋଟିସ୍: ତେବେ ଗୁଜୁରାଟର ପାଟଣା ଜିଲ୍ଲାର ସୁନୀଲ୍। ଯିଏକି ଦିନ ମଜୁରୀଆ ଭାବରେ କାମ କରନ୍ତି। ଆଉ ମାସକୁ ତାଙ୍କର ଆୟ ମାତ୍ର ୧୬ ହଜାର ଟଙ୍କା। ଯେଉଁଥିରେ ସେ ତାଙ୍କ ଗୁଜୁରାଣ ମେଣ୍ଟାନ୍ତି।

ହେଲେ ଏବେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କାରଣ ବେଙ୍ଗାଲୁରୁ ଜିଏସଟି ବିଭାଗ ତାଙ୍କ ପାଖକୁ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ନୋଟିସ୍ ପଠାଇଛି। ସେହି ଟ୍ୟାକ୍ସ ନୋଟିସ୍ ପାଇବା ପରଠାରୁ ତାଙ୍କ ମୁଣ୍ଡ କାମ କରୁନାହିଁ।

ଏହା କ’ଣ ସତ: ତେବେ ପ୍ରକୃତରେ କ’ଣ ଏହି ଦିନ ମଜୁରୀଆଙ୍କ ନିକଟକୁ ଏତେ ଟଙ୍କାର ନୋଟିସ୍ ଆସିଛି। ଆଉ ଯଦି ଆସିଛି ଏହା ପଛର କାରଣ କ’ଣ ରହିଛି।

ସୂଚନାନୂସାରେ,ଜିଏସଟି ନୋଟି ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ। ଆଉ ତଦନ୍ତ ପରେ ଜଣାପଡିଥିଲା ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନୀ ଚାଲିଛି।

ଆଉ ସେହି କମ୍ପାନୀ କୌଣସି ଟ୍ୟାକ୍ସ ଦେଉନାହିଁ। ଯେଉଁଥିପାଇଁ ସୁନୀଲଙ୍କ ପାଖକୁ ମୋଟା ଅଙ୍କର ଟ୍ୟାକ୍ସ ନୋଟିସ୍ ଆସିଛି।

ଏତେ କମ୍ପାନୀ ଖୋଲିଲା କିପରି: ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, କି ଜଣେ ଦିନ ମଜୁରୀଆ ଯାହାଙ୍କର ଆୟ ମାସକୁ ମାତ୍ର ୧୬ ହଜାର ଟଙ୍କା। ତାଙ୍କ ନାଁରେ ଏତେ ଗୁଡ଼ିଏ କମ୍ପାନୀ ଖୋଲିଲା କିପରି?

ଏଠି କହି ରଖିବା ପାଇଁ ଚାହିଁବୁ କି ଫର୍ଜି କେସ୍ ଏବେ ଦିନକୁ ଦିନ ବଢ଼ି ଚାଲିଛି। ଫେକ୍ ପ୍ରମାଣ ପତ୍ର ଦେଇ ବିଭିନ୍ନ ଘଟଣା ଘଟାଉଛନ୍ତି। ଠିକ୍ ସେହିପରି ଏକ ଘଟଣା ସୁନୀଲଙ୍କ ସହ ଘଟିଛି।

ସୁନୀଲଙ୍କ ଆଧାର କାର୍ଡକୁ ବ୍ୟବହାର କରି ୧୧ଟି ସ୍ଥାନରେ ଉତ୍ତର ପ୍ରଦେଶର ଅଯୋଧ୍ୟା, ଅଲିଗଡ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା, ନାଗପୁର, କର୍ଣ୍ଣାଟକ, ତାମିଲନାଡୁ, ଆଣ୍ଡାମାନ୍ ନିକୋବର୍ ଭଳି ସ୍ଥାନରେ କମ୍ପାନୀ ଖୋଲି ବ୍ୟବସାୟ କରିଆସୁଛନ୍ତି ସାଇବର ଠକ।

ଘଟଣା ସାମ୍ନାକୁ ଆସିବା ପରେ ସୁନୀଲ ଓ ତାଙ୍କ ପରିବାର ଗୃହ ବିଭାଗ ଏବଂ କ୍ରାଇମବ୍ରାଞ୍ଚରେ ଆଭିଯୋଗ କରିଛନ୍ତି। ତଦନ୍ତ ପରେ ଜଣା ପଡିଛି କି  ଏହା ପଛରେ ଜଣେ ନୁହେଁ ପୂରା ରାକେଟ୍ କାମ କରୁଛି।