ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଉଥିବା ଅର୍ଥନୈତିକ ସର୍ବେକ୍ଷଣରେ ଆକଳନ କରାଯାଇଥିବା ରିପୋର୍ଟ ଆସିଛି।
ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ, ଯାହା କି ଗତ ଚାରି ବର୍ଷ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି ହାର ହେବ ବୋଲି ଆଶା କରାଯାଉଛି।
ଗତବର୍ଷ ଜୁଲାଇ ୨୨, ୨୦୨୪ରେ ଅର୍ଥନୈତିକ ସର୍ଭେରେ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ଆର୍ଥିକ ସର୍ଭେ ଉପସ୍ଥାପନ କରି ଦେଶର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି।
ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ପିଟିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନିଯୁକ୍ତି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଭାବକୁ ନେଇ ଅର୍ଥନୈତିକ ସର୍ଭେରେ ଚେତାବନୀ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇଁ ବାହ୍ୟ ଚ୍ୟାଲେଞ୍ଜକୁ ଦାୟୀ କରାଯାଇଛି।
ରପ୍ତାନି ହ୍ରାସ ନେଇ ମଧ୍ୟ ସର୍ଭେରେ ଉଲ୍ଲେଖ କରାଯାଇଛି। ଉତ୍ପାଦନ କ୍ଷେତ୍ରରେ ଚୀନ୍ ଉପରେ ନିର୍ଭରଶୀଳତାକୁ ନେଇ ଅର୍ଥନୈତିକ ସର୍ଭେରେ ଚିନ୍ତା ପ୍ରକଟ କରାଯାଇଛି। ସର୍ବେକ୍ଷଣରେ ଶିଳ୍ପଗୁଡ଼ିକର ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।