ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଡରାଇଲାଣି ମାଘ ଖରା

୩୬.7 ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର। ୩୪ ଡିଗ୍ରୀ ଉପରେ ୮ ସହର। ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପଡ଼ିଛି ପ୍ରଭାବ। ଖରାର ତାତି ସହ କଲବଲ କରୁଛୁ କୁହୁଡ଼ି। ଆହୁରି ୨ ଦିନ ଧରି ଜାରି ରହିବ ଘନ କୁହୁଡ଼ି।

ଭୁବନେଶ୍ୱର: କଥାରେ ଅଛି ମାଘ ମାସରେ ବାଘ ପରି ଶୀତ। ହେଲେ ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି। ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି।

ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ସବୁଠି ପ୍ରବଳ ଗରମ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି।

ରାଜ୍ୟର ତାପମାତ୍ରା: ତେବେ ମାଘ ମାସରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ତାପମାତ୍ରା ରହିଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ପାରଦ ହ୍ରାସ ପାଇବା କଥା ସେହି ସମୟରେ ପାରଦ ବଢ଼ି ବଢ଼ି ଚାଲିଛି। ଏହାସହ ରାଜ୍ୟର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୩୬.୭ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ଝାରସୁଗୁଡ଼ାରେ ୩୫.୬, ପାରଳାଖେମୁଣ୍ଡିରେ ୩୫.୮, ସମ୍ୱଲପୁରରେ ୩୫.୧, ଭବାନୀପାଟଣାରେ ୩୫ ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି।

ସେହିପରି ରବିବାର ଦିନ ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ପାର କରିସାରିଛି। ଜାନୁଆରୀ ଶେଷ ଓ ଫେବୃଆରୀ ଆରମ୍ଭରୁ ଯେଉଁଭଳି ତାତି ଅନୁଭୂତ ହେଲାଣି, ସେଥିରୁ ଅନୁଭବ କରିହେଉଛି କି ଆସନ୍ତା ଦିନରେ ରାଜ୍ୟର ସ୍ଥିତି କ’ଣ ହେବ।

କାହିଁକି ହଠାତ୍ କମିଗଲା ଶୀତ: ଋତୁ ପରିବର୍ତ୍ତନ ସମୟରେ ତାପମାତ୍ରାରେ ବଦଳିଥାଏ। କିନ୍ତୁ ଚଳିତଥର ଏହି ପ୍ରକ୍ରିୟା ଶୀଘ୍ର ଦେଖିବାକୁ ମିଳୁଛି। ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ ସକ୍ରିୟ ରହିଛି। ଫଳରେ ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ ଦିଗରୁ ତାତି ପବନ ପ୍ରବାହିତ ହେଉଛି।

ସେଥିପାଇଁ ରାଜ୍ୟରେ ଅସ୍ୱଭାବିକ ଭାବେ ତାପମାତ୍ର ବଢିଛି। ଏହାସହ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ବାୟୁ ଶୀଘ୍ର ଆସିଛି। ତେଣୁ ଆକାଶ ମେଘ ମୁକ୍ତ ରହିଛି। ସେଥିପାଇଁ ବି ତାପମାତ୍ରା ବୃଦ୍ଧି ପାଇଥିବା କଥା କୁହାଯାଉଛି।

କାହିଁକି ହେଉଛି ଘନ କୁହୁଡ଼ି: କେବଳ ସେତିକି ନୁହେଁ ପ୍ରତ୍ୟେକ ଦିନ ଘନ କୁହୁଡି ଜନ ଜୀବନକୁ ଆସ୍ତବ୍ୟସ୍ତ କରିପକାଉଛି। ରାସ୍ତା ଘାଟ କିଛି ଦେଖାଯାଉନି। ଯାତାୟତରେ ବାଧା ସୃଷ୍ଟି କରୁଛି କୁହୁଡ଼ି। ସେଥିପାଇଁ ତ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି।

ତେବେ ତାପମାତ୍ରା ଅଧିକ କାରଣରୁ ସନ୍ଧ୍ୟା ସମୟରେ ସମୁଦ୍ର ଆଡୁ ପବନ ଆସୁଛି। ପବନ ସହ ଆସୁଥିବା ଜଳୀୟବାଷ୍ପ ଉପରକୁ ନଯାଇ ବାୟୁମଣ୍ଡଳର ତଳ ଭାଗରେ ରହୁଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି।