ବୁଢ଼ା ବାପାର ଶବ କିଏ ନେବ, ଦୁଇ ଭାଇଙ୍କ ଭିତରେ ଛିଡୁନି କଳି, ପୁଅର ଜିଦ୍ ଶବ ୨ ଖଣ୍ଡ ହେଉ
ମରିଗଲା ବୁଢା ବାପା। ହେଲେ କିଏ ଦେବ ବାପା ମୁହଁରେ ମୁଖାଗ୍ନି। ଦୁଇ ପୁଅଙ୍କ ଭିତରେ ଲାଗିଛି କଳି। ବଡ ପୁଅ ନା ସାନ ପୁଅ। କାହାର ହେବ ବାପାଙ୍କ ଶବ। ଶେଷରେ ପୁଅଙ୍କ ଜିଦ୍ ୨ ଖଣ୍ଡ କରିଦିଆଯାଉ ବାପାଙ୍କ ଶବ।
ମଧ୍ୟପ୍ରଦେଶ: ବାପାଙ୍କ ଶବକୁ କିଏ ଦେବ ମୁଖାଗ୍ନି। ସାନ ପୁଅ ନା ବଡ଼ ପୁଅ। ଦୁଇ ପୁଅଙ୍କ ଭିତରେ ହେଉନି ସମାଧାନ। ବଡ ପୁଅର ଜିଦ୍ ସେ ବଡ ତେଣୁ ସିଏ ହିଁ ମୁଖାଗ୍ନି ଦେବ। ସେପଟେ ସାନ ପୁଅ ଅଡି ବସିଛି ବାପା ମୋ ପାଖରେ ଥିଲେ। ତାଙ୍କ ସେବା ମୁଁ କରିଛି। ତେଣୁ ମୁଖାଗ୍ନି ମୁଁ ହିଁ ଦେବି।
ଶେଷରେ ଏହି କଳି ଏତେବାଟ ଯାଏ ଯେ ବାପାଙ୍କୁ ଦୁଇ ଖଣ୍ଡ କରିବାକୁ ବି କଥା ଉଠେ। ଗାଁ ଲୋକଙ୍କ ମଧ୍ୟସ୍ଥିରେ ବି ଛିଡେନି କଳି। କାହାର ହେବ ବାପା ଶବ। ସାନ ପୁଅର ନା ବଡ ପୁଅର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାର ଜଟାରା ଥାନାର ଲିଧୌରା ତାଲ ଗାଁର ଅଜବ ଘଟଣା।
ବାପାଙ୍କ ମୃତ୍ୟୁ: ବୁଢା ବାପା ଟିଏ। ନାଁ ତାର ଧ୍ୟାନୀ ସିଂହ ଘୋଷ। ତାର ଦୁଇଟି ପୁଅ। ହେଲେ ବଞ୍ଚିଥିବା ସମୟରେ ବଡ ପୁଅ ଆଡ ଆଖିରେ ବି ଚାହୁଁ ନଥିଲା। କିନ୍ତୁ ଯେତିକି ଦିନ ବଞ୍ଚିଲା ସାନ ପୁଅ ସେବା କଲା। ଶେଷରେ ବାର୍ଦ୍ଧକ୍ୟରେ ଜୀବନ ହାରିଲା। ଆଉ ତାପରେ ଆରମ୍ଭ ହେଲା ଦୁଇ ପୁଅଙ୍କ ଭିତରେ କଳି।
କିଏ ଦେବ ମୁଖାଗ୍ନି: ବୁଢା ବାପାର ମୃତ୍ୟୁ ପରେ ସାନ ପୁଅ ଦାମୋଦର ଶେଷକୃତ୍ୟର ଆୟୋଜନ କରନ୍ତି। ଗାଁ ଲୋକ ବି ଶେଷକୃତ୍ୟ ପାଇଁ ଆସି ପହଞ୍ଚନ୍ତି। କୋକେଇ ବି ବନ୍ଧା ସରିଯାଏ। ଆଉ ସେତିକି ବେଳେ ଆସି ପହଞ୍ଚନ୍ତି ବଡ ପୁଅ କିଶନ ସିଂ ଘୋଷ।
ପରେ ବଡ ପୁଅ କିଶନ ବାପାଙ୍କ ଶେଷକୃତ୍ୟ କରିବାକୁ ଜିଦ୍ ଧରି ବସନ୍ତି। ଅର୍ଥାତ୍ କିଶାନଙ୍କ କହିବା କଥା ସେ ବଡ ପୁଅ ତେଣୁ ସେହିଁ ମୁଖାଗ୍ନି ଦେବେ। ହେଲେ ଏହି କଥାରେ ରାଜି ହୁଅନ୍ତିନି ସାନ ପୁଅ ଦାମୋଦର।
ଦାମୋଦରଙ୍କ କହିବା କଥା ବାପାଙ୍କୁ ପୋଷିଛନ୍ତି ସେ। ତାଙ୍କର ସବୁ ସେବା କରିଛନ୍ତି ସେ। ଟିକିନିଖି କଥା ବୁଝିଛନ୍ତି ସେ। ତେଣୁ ବାପାଙ୍କ ମୁଖାଗ୍ନି ସେହିଁ ଦେବେ। ହେଲେ ଏହି କଥାରେ ରାଗି ଯାଆନ୍ତି ବଡ ପୁଅ କିଶନ। ଆଉ କୁହନ୍ତି ତାହାଲେ ବାପାଙ୍କ ଶବକୁ ଦୁଇଖଣ୍ଡ କରିଦିଆଯାଉ।
ଗାଁ ଲୋକଙ୍କ ସମୃକ୍ତି: ଦୁଇ ଭାଇଙ୍କ ଭିତରେ ଏପରି କଳି ଦେଖି ସେମାନଙ୍କୁ ବୁଝାସୁଝା କରନ୍ତି ଗାଁ ଲୋକ। ଦୁଇଜଣ ମିଶି ବାପାଙ୍କ ଶେଷକୃତ୍ୟ କରିବାକୁ କୁହନ୍ତି। ହେଲେ ଏହି କଥାରେ ଦୁଇ ଭାଇ ରାଜି ହୁଅନ୍ତି ନାହିଁ। କଳି ବଢିଚାଲେ। ଶବ ବି ବାହାରେ ଥୁଆ ହୋଇଥାଏ।
ଘଟଣା ସ୍ଥଳରେ ପୋଲିସ: ଯେତେବେଳେ ଗାଁ ଲୋକ ଏହି କଳିର ସମାଧାନ କରିନପାରନ୍ତି, ସେତେବେଳେ ପୋଲିସକୁ ଖବର ଦିଅନ୍ତି। ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରେ।
ପରେ ପୋଲିସର ଉପସ୍ଥିତିରେ ଶେଷକୃତ୍ୟ ହେଲା। ଏବଂ ସାନ ପୁଅ ମୁଖାଗ୍ନି ଦେବା ସହ ବଡ ପୁଅ ଶେଷକୃତ୍ୟରେ ସହଯୋଗ କଲା।