ଭାରତ ଅଭ୍ୟାସ କରିବ, ଗଲ୍ଫ ଖେଳିବେ ଇଂଲଣ୍ଡ ଖେଳାଳି

ଭୁବନେଶ୍ଵର: ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍‌ରିକେଟ୍ ମ୍ୟାଚ୍ ଏଥି ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସବୁଜ ଘାସ ଗାଲିଚା ଓ ଫ୍ଲଡ୍ ଲାଇଟ୍‌ରେ ଝଲସୁଥିବା ବାରବାଟୀ ଷ୍ଟାଡିୟମ୍ ଏବେ ଭାରତ, ଇଂଲଣ୍ଡ ଦଳର ଖେଳାଳିଙ୍କୁ ଅପେକ୍ଷା କରିଛି।

ଶନିବାର ଅପରାହ୍ଣ ୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଇଂଲଣ୍ଡ ଦଳ ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଚାପ କ୍ଲାନ୍ତି ବାରବାଟୀ ନଯାଇ ଭୁବନେଶ୍ଵର ଗଲ୍ଫ ଖେଳିବେ ଏଥିପାଇଁ ବିଜିସିରେ ପ୍ରସ୍ତୁତି ହୋଇଛି। ସେହିପରି ଭାରତୀୟ ଦଳ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟସୂଚୀ ରହିଛି।

ଖେଳାଳିମାନେ ଭୁବନେଶ୍ଵର ମେ’ଫେୟାରରେ ଅବସ୍ଥାନ କରୁଥିବା ବେଳେ ଶନିବାର ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଓସିଏ ପକ୍ଷରୁ ୫ଟି ଭଲ୍‌ଭୋ ବସ୍ ସମେତ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି ଷ୍ଟାଡିୟମ୍‌ରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।