‘ମୁଁ କେବେ ବି ବିଜେପି ଯିବି ନାହିଁ..’: ସ୍ପଷ୍ଟ କଲେ ସନାତନ ମହାକୁଡ଼ା

ବିଜେପିରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ କଲେ ବିଜେଡି ବିଧାୟକ

ଭୁବନେଶ୍ୱର: ନବୀନଙ୍କ ତାଗିଦ୍ ପରେ ସନା ମହାକୁଡ଼ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ମୁଁ କେବେ ବି ବିଜେପି ଯିବି ନାହିଁ । ବିଜେଡି ସହ ଅଛି, ରହିଛି ଆଉ ରହିବି । ଦଳର ଟିକେଟ ନେଇ ଜିତିଛି ।

ସେ ଆହୁରି କହିଛନ୍ତି, “ ନବୀନ କଣ ପାଇଁ ଭାବିଲେ ମୁଁ କହିପାରିବିନି । ମୁରବି ହିସାବରେ ସେ ଏହାକୁ ପଚାରି ପାରିବେ । ଦଳ କେବେ ମୋତେ ସନ୍ଦେହ କରୁନାହିଁ । ଅଞ୍ଚଳର ବିକାଶ ପାଇଁ ମୁଁ କାମ କରିବି ।”

ଗତକାଲି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ଼ ।

ଏ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସନାତନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ।

ଆଜି ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କରିଥିଲେ ଯେ, କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେଇ ଚମ୍ପୁଆ ବିଧାୟକ କହିଥିଲେ ଯେ, ଦେହ ଭଲ ନଥିଲା । ଏହାପରେ ନବୀନ ପଟ୍ଟନାୟକ କହିଥିଲେ, “ଦେହ ଭଲ ନଥିଲା ନା ବିଜେପିକୁ ମୁହାଁଉଛନ୍ତି ।” ତେବେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜନୈତିକ ଚର୍ଚ୍ଚା ଜୋରସୋରରେ ବଢିଯାଇଛି ।

ଏହି ମାମଲାକୁ ନେଇ ବର୍ତ୍ତମାନ ବିଞ୍ଝାରପୁର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ମିଡିଆ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, “ଦେହ ଖରାପ ପାଇଁ ଆସିନଥିବା ସେ କହିଛନ୍ତି । ତାକୁ କାହିଁକି ରାଜନୈତିକ ରୂପ ଦେଉଛି ମିଡିଆ । କୌଣସି ବିଜେଡି ବିଧାୟକ ବିଜେପି ସହ ଯୋଗାଯୋଗରେ ନାହାନ୍ତି ।”