Delhi CM Oath Ceremony: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଆଜି ବସିବ ବୈଠକ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଫେବୃଆରୀ 19 ରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହାପରେ 20 ତାରିଖରେ ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବେ ।
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆସନ୍ତା ୨୦ ଫେବୃଆରୀ ଅପରାହ୍ନ ୪ଟା୩୦ ରେ ଅନୁଷ୍ଠିତ ହେବ । ନୂତନ ମୁଖ୍ୟମନ୍ତ୍ରୀ ରାମଲୀଳା ମୈଦାନରେ କ୍ୟାବିନେଟ ସଦସ୍ୟଙ୍କ ସହିତ ଶପଥ ଗ୍ରହଣ କରିବେ । ଏଥିପାଇଁ ରାମଲୀଳା ମୈଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଆଜି ସନ୍ଧ୍ୟାରେ ବସିବ ବୈଠକ- ଶପଥ ଗ୍ରହଣ ଏବଂ ସରକାର ଗଠନ ସମ୍ପର୍କରେ ବିଜେପି ଆଜି ସନ୍ଧ୍ୟାରେ ଏକ ବୈଠକ କରିବ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ନେଇ ସବିଶେଷ ଆଲୋଚନା କରାଯିବ । ଶପଥ ଗ୍ରହଣ ଉତ୍ସବର ପ୍ରଭାରୀ ବିନୋଦ ତାୱଡେ ଏବଂ ତରୁଣ ଚୁଗ୍ ବୈଠକରେ ଉପସ୍ଥିତ ରହିବେ ।
ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବଂ ଦିଲ୍ଲୀ ବିଜେପି ସଂଗଠନର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି, ଆସନ ବ୍ୟବସ୍ଥା ଏବଂ ଅତିଥି ତାଲିକା ଚୂଡ଼ାନ୍ତ କରାଯିବ ।
ବଡ ସଫଳତା ହାତେଇଛି ବିଜେପି- ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରିଛି । ୨୭ ବର୍ଷ ପରେ ଜାତୀୟ ରାଜଧାନୀରେ ଦଳ କ୍ଷମତାକୁ ଆସିଛି । ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ବିଜେପି ୪୮ଟିରେ ବିଜୟୀ ହୋଇଥିଲା। ସେହିପରି ଆପକୁ ୨୨ଟି ଆସନ ମିଳିଥିଲା ।
ବିଧାନସଭା ନିର୍ବାଚନ ଫଳାଫଳ ଫେବୃଆରୀ 8 ତାରିଖରେ ଘୋଷଣା କରାଯାଇଥିଲା। ଏବେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ବିଳମ୍ବ ଉପରେ ପ୍ରଶ୍ନ ଉଠାଉଛନ୍ତି ।
ଆଜି କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବାର ଦଶ ଦିନ ବିତିଗଲାଣି। ଦିଲ୍ଲୀବାସୀ ଆଶା କରିଥିଲେ ଯେ ଫେବୃଆରୀ ୧୦ ତାରିଖରେ ଶପଥ ଗ୍ରହଣ ସମାରୋହ ହେବ ଏବଂ ତା’ପରେ ସେମାନଙ୍କର କାମ ଆରମ୍ଭ ହେବ । କିନ୍ତୁ ଜନସାଧାରଣ ଅପେକ୍ଷା କରି ରହିଥିଲେ।
ଏହା ପ୍ରମାଣିତ କରିଛି ଯେ ଦିଲ୍ଲୀରେ ସରକାର ଚଳାଇବା ପାଇଁ ବିଜେପି ପାଖରେ ଗୋଟିଏ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ନାହିଁ । ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ଉପରେ ପୁରା ଦେଶବାସୀଙ୍କର ନଜର ରହିଛି ।