ଆଉ ଏକ ମୁଣ୍ଡ ନେଲା ପଳାଶୁଣି, ଟ୍ରକ ଧକ୍କାରେ ଅଜଣା ବ୍ୟକ୍ତି ମୃତ

ଗୋଟେ ପରେ ଗୋଟେ ମୁଣ୍ଡ ନେବାରେ ଲାଗିଛି ପଳାଶୁଣି ଛକ। ପୁଣି ଥରେ ଆଉ ଏକ ମୁଣ୍ଡ ନେଲା ପଳାଶୁଣି। ବ୍ୟକ୍ତିଙ୍କ ଉପରେ ଟ୍ରକ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ।

ଭୁବନେଶ୍ୱର: ପୁଣି ଆଉ ଏକ ମୁଣ୍ଡ ନେଲା ପଳାଶୁଣି। ବାରମ୍ୱାର ପଳାଶୁଣି ଛକରେ ଘଟୁଛି ଅଘଟଣ। ଯେତେ ସତର୍କତା ଅବଲମ୍ୱନ କଲେ ବି ଗୋଟେ ପରେ ଗୋଟେ ଯାଉଛି ମୁଣ୍ଡ। ପୂର୍ବରୁ ମଧ୍ୟ ପଳାଶୁଣି ଛକ ଉପରେ ଅନେକ ମୁଣ୍ଡ ଗଡିଛି।

ସେଥିପାଇଁ ସରକାର ଯଥା ସମ୍ଭବ ଫୁଟ୍ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ଏହାରି ଭିତରେ ଗୋଟେ ପରେ ଗୋଟେ ମୁଣ୍ଡ ଯିବାରେ ଲାଗିଛି। ହଟ୍ ସ୍ପଟ୍ ପାଲଟିଗଲାଣା ପଳାଶୁଣି ଛକ।

ରାସ୍ତା ପାର ହେବାକୁ ଡରୁଛନ୍ତି ଲୋକେ। ଠିକ୍ ସେହିପରି ଗତକାଲି ବିଳମ୍ୱିତ ରାତିରେ ଆଉ ଏକ ମୁଣ୍ଡ ନେଇଛି ପଳାଶୁଣି ଛକ। ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ମୃତ ବ୍ୟକ୍ତି ଜଣଙ୍କ ସାଇକେଲ ଚଲାଇ ଯାଉଥିଲେ।

ପ୍ରଥମେ ତାଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଆଉ ତା ପଛରେ ଆଉ ଏକ ଟ୍ରକ ଆସି ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏବେଯାଏଁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।