ଦୁର୍ଘଟଣାରେ ଜଗନ୍ନାଥ ଏକ୍ସପ୍ରେସ ଚୁରମାର, ୨୦ ଆହତ ୩ ଗୁରୁତର

ସୁନ୍ଦରଗଡ଼: ଓଲଟିଲା ସରକାରୀ ସେମି ସ୍ଲିପର୍‌ ଭଲ୍‌ଭୋ ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌। ବିଳମ୍ୱିତ ରାତିରେ ଯାତ୍ରୀ ନେଇ ଯାଉଥିବା ସରକାରୀ ବସ୍ ଓଲଟି ପଡିଥିବା ସୂଚନା ମିଳିଛି। ରାତି ପ୍ରାୟ ୧୨ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ବେଳେ, ୩ଜଣ ଗୁରୁତର ହୋଇଛନ୍ତି।

ସୁନ୍ଦରଗଡ଼ରୁ ରାଉରକେଲା ଦେଇ ପୁରୀକୁ ଚ‌ାଲୁଥିବା ସରକାରୀ ବସ୍ ଜଗନ୍ନାଥ ଏକ୍ସପ୍ରେସ ଶନିବାର ଦିନ ବିଳମ୍ୱିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ଘଟିବା ମାତ୍ରେ ବିଦ୍ୟୁତ୍‌ ସଂଯୋଗ କଟି ଯାଇଥିବାରୁ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ୪୫ ଯାତ୍ରୀ ଓ ୪ ବସ୍‌ କର୍ମଚାରୀ।

ବସ୍ ଚଳାଚଳ: ତେବେ ସନ୍ଧ୍ୟାରେ ସୁନ୍ଦରଗଡ଼ରୁ ବାହାରି ରାଉରକେଲା ଓ ବଣାଇ ଦେଇ ଜଗନ୍ନାଥ ଏକ୍ସପ୍ରେସ ପୁରୀ ଯାଇଥାଏ। ପୂର୍ବରୁ ଡବଲ୍‌ଡେକର୍‌ ପୂର୍ଣ୍ଣ ସ୍ଲିପ୍‌ର ବସ୍‌ ସୁନ୍ଦରଗଡ଼-ପୁରୀ ମଧ୍ୟରେ ଚାଲୁଥିଲା। ୨୦୨୪ ନଭେମ୍ବର ପରଠାରୁ ଡବଲ୍‌ ଡେକର ସ୍ଲିପ୍‌ର ପରିବର୍ତ୍ତେ ସେମି ସ୍ଲିପ୍‌ର ବସ୍‌ ଯାତାୟାତ କରୁଛି।

ପ୍ରତିଦିନ ପରି ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ ସୁନ୍ଦରଗଡ଼ରୁ ଏହି ଆରାମଦାୟକ ଅତ୍ୟାଧୁନିକ ବସ୍‌ଟି ପୁରୀ ବାହାରିଥିଲା। ଏହା ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ରାଉରକେଲା ସେକ୍ଟର-୨ ବସ୍‌ଷ୍ଟାଣ୍ଡରେ ପହଞ୍ଚି ରାତି ସାଢ଼େ ୧୦ଟାରେ ରାଉରକେଲା ଛାଡ଼ିଥିଲା।

ବସ୍ ଭାଙ୍ଗି ଚୁରମାର: ରାତି ପ୍ରାୟ ସାଢ଼େ ୧୨ଟାବେଳେ ଲହୁଣିପଡ଼ା ମୁଚୁରନାଲି ନିକଟରେ ବସ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱ ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା। କିଛି ଯାତ୍ରୀ ବସ୍‌ ବାହାରକୁ ବାହାରି ଆସିଥିଲାବେଳେ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଲହୁଣିପଡା ଓ ମହୁଲପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ।