Breaking: ଲୋକନାଥ ମନ୍ଦିରରେ ବାଉନ୍ସରଙ୍କ କାମ କ’ଣ, କିଏ ଦେଇଛି ନିଯୁକ୍ତି

ପୁରୀ ଲୋକନାଥ ମନ୍ଦିରରେ ଜାଗରରେ ବାଉନ୍ସରଙ୍କ କାମ କ'ଣ? କିଏ ଦେଇଛି ନିଯୁକ୍ତି? ଏତେ ପୋଲିସ ଥାଉ ଥାଉ ବାଉନ୍ସରଙ୍କୁ କାହିଁକି ଦିଆଗଲା କାମ। ଉଠୁଛି ଅନେକ ପ୍ରଶ୍ନ।

ପୁରୀ: ଆଜି ପବିତ୍ର ମହାଶିବରାତ୍ରି। ଆଉ ଜାଗର ଦୀପ ଜାଳିବା ପାଇଁ ପ୍ରତ୍ୟେକ ଟି ଶୈବ ପୀଠରେ ପ୍ରବଳ ଗହଳି। ସେଥିପାଇଁ ସବୁ ବଡ଼ ବଡ଼ ମନ୍ଦିରରେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିପରି ସୁରୁଖୁରୁରେ ଜାଗର ପାଳନ ହେବ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା କି ପୁରୀ ଲୋକନାଥ ମନ୍ଦିରରେ ଦେଖିବାକୁ ମିଳିଛି ବାଉନ୍ସରମାନଙ୍କୁ। ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ହେଲେ ପ୍ରଥମ କରି ଲୋକନାଥ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ବାଉନ୍ସର ନିଯୁକ୍ତି ହୋଇ ଦ୍ଵାର ଜଗିଥିବା ଦେଖାଦେଇଛି ।

ମନ୍ଦିରରେ ବାଉନ୍ସର: ଆଜି ହେଉଛି ଜାଗର। ଏଥିପାଇଁ ସମସ୍ତ ଶୈବ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେଣୁ ସୁରୁଖୁରୁରେ ପୂଜା ସାରିବା ପାଇଁ ମନ୍ଦିରରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ହେଲେ ପ୍ରଥମ ଥର ପୁରୀ ଲୋକନାଥ ଦେବଙ୍କୁ ଦର୍ଶନ ସାରି ବାହାରକୁ ବାହାରୁଥିବା ଦ୍ଵାରରେ ବାଉନ୍ସରଙ୍କୁ ନିଯୁକ୍ତି ଦିଆଯାଇଛି।

ଯାହାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏହି ବାଉନ୍ସରମାନେ ଶ୍ରଦ୍ଧାଳୁଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଥିଲା। ପରେ ପୋଲିସ ଅଧିକାରୀ ମାନେ ସେମାନଙ୍କୁ ଡାକି ପଚରାଉଚରା କରୁଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି ଏତେ ପୋଲିସ ଫୋର୍ସ ଥାଉ ଥାଉ ବାଉନ୍ସରଙ୍କ କାର୍ଯ୍ୟ କ’ଣ।

ବାଉନ୍ସରଙ୍କୁ କିଏ କରିଛି ନିଯୁକ୍ତି: ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ବାଉନ୍ସର ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍ ଧରିଛି।

ତେବେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାଉନ୍ସର କିପରି ନିଯୁକ୍ତି ହୋଇ କାର୍ଯ୍ୟ କଲେ ତାକୁ ନେଇ ପ୍ରଶ୍ନ ଉଠିବା ସହ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ଉପୁଜିଛି। ପୋଲିସର ଜାଣତରେ ବାଉନ୍ସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଜଣାପଡ଼ିନାହିଁ ।