ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କର ହେବ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ସିନେମା ଜଗତର ଅପ୍ରତିଦ୍ବନ୍ଦୀ ନାୟକ ଥିଲେ ଉତ୍ତମ ମହାନ୍ତି । ବାବୁସାନଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ତେବେ ଉତ୍ତମଙ୍କ ବିୟୋଗରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ଉତ୍ତମଙ୍କ ପୁଅ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ତାଙ୍କ ପାର୍ଥୀବ ଶରୀରକୁ ଦିନ 11ଟା ସମୟରେ ଭୁବନେଶ୍ବର ଅଣାଯିବ ।

ତାଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀରୁ ଭୁବନେଶ୍ବର ଅଣାଯିବାରେ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ମୋହନ ମାଝୀ କହିଛନ୍ତି । ତେବେ ଭୁବନେଶ୍ବର ମରଶରୀର ଫେରିବା ପରେ ରାଷ୍ଟ୍ରୀୟ ମର୍ଯାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ପ୍ରକାଶଥାଉକି, ଉତ୍ତମ ମହାନ୍ତି ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ । ହେଲେ ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ 8 ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଗୁରୁବାର ରାତିରେ ସେ ଚିରଦିନ ପାଇଁ ଶୋଇଯାଇଛନ୍ତି । ତାଙ୍କର ପରଲୋକରେ ଓଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।