Breaking: ରାତି ଅଧରେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ

ରାତିରେ ଘରେ ଶୋଇଥିଲେ ଯୁବକ। ଏସିଡ୍ ଫୋପାଡି ଫେରାର ହୋଇଗଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର।

ଭଦ୍ରକ: ପୂର୍ବରୁ ଏସିଡ୍ ମାଡ଼ ଘଟଣା ଆପଣମାନେ ଅନେକ ଶୁଣିଥିବେ। ବିଶେଷ କରି ବିଫଳ ପ୍ରେମ ବା ଏକତରଫା ପ୍ରେମ ପାଇଁ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇଥିବା ଘଟଣା ଆପଣମାନେ ଜାଣିଥିବେ। ହେଲେ ଏବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏବେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼ ହୋଇଛି।

ହଁ ଏବେ ଏସିଡ୍ ଆଟାକରେ ଯୁବକଙ୍କ ମୁହଁ ଓ ଶରୀରର କିଛି ଅଂଶ ପୋଡି ଯାଇଛି। ସେ ଏବେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ନାୟକାଣୀଡିହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ।

ପୀଡିତ ଯୁବକ ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କର ଟେଣ୍ଡ ହାଉସ୍ ଅଛି। ପୂର୍ବରୁ ମଧ୍ୟ ତାଙ୍କ ଟେଣ୍ଡକୁ କେହି ଦୁର୍ବୃତ୍ତ ପୋଡି ଦେଇଥିବା ପରିବାର ଅଭିଯୋଗ କରିଛନ୍ତି। ଆଉ ଏବେ ଜୀବନରୁ ମାରିଦେବାକୁ ତାଙ୍କ ଉପରେ ଏସିଡ୍ ମାଡ କରାଯାଇଛି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଘଟଣା ହେଉଛି ଗତକାଲି ରାତିରେ ଟେଣ୍ଡ ମାଲିକ ଜଗବନ୍ଧୁ ନିଜ କାମ ସାରି ରାତିରେ ଘରକୁ ଫେରିଥିଲେ। ଆଉ ଖିଆପିଆ ସାରି ଘରେ ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ଆସି ଝରକା ବାଟେ ତାଙ୍କ ଉପରକୁ ଏସିଡ୍ ଫୋପାଡି ଚାଲିଯାଇଥିଲା।

ପରେ ଜଗବନ୍ଧୁ ଯନ୍ତ୍ରଣାରେ ପାଟି କରିବାରୁ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।