ଏକାଠି ବସି ବିବାଦର କଲେ ସମାଧାନ, ସିଂହବାହିନୀରେ କାମ କରିବେ ପୀୟୁଷ

ତୁଟିଲା ଅଭିନେତା ଓ ମାଲିକଙ୍କ ମଧ୍ୟରେ ବିବାଦ। ସିଂହବାହିନୀକୁ ଯାଉଛନ୍ତି ପୀୟୁଷ।

ଭୁବନେଶ୍ୱର: ତୁଟିଲା ଅଭିନେତା ଓ ମାଲିକଙ୍କ ମଧ୍ୟରେ ବିବାଦ। କିଛି ଦିନ ଧରି ସୋସିଆଲ ମିଡିଆର ଟ୍ରେଣ୍ଡିଙ୍ଗ ନ୍ୟୁଜ ପାଲଟିଥିଲା ଅଭିନେତା ପୀୟୁଷ ତ୍ରିପାଠୀ ଓ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପ୍ରସଙ୍ଗ।

ହେଲେ ଏବେ ସେସବୁ ବିବାଦକୁ ଆପୋଷ ସମାଧାନ କରିଦେଇଛନ୍ତି ଅଭିନେତା ଓ ମାଲିକ। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଙ୍ଗ କାରଣରୁ କଥା ଏତେବାଟ ବଢ଼ିଗଲା ବୋଲି ଦୁହେଁ ମାନିଛନ୍ତି। ଏହାସହ ସବୁଠାରୁ ବଡ଼କଥା ହେଉଛି ପୀୟୁଷ ସିଂହବାହିନୀ ଯାତ୍ରାପାର୍ଟିରେ କାମ କରିବାକୁ ରାଜି ହୋଇଛନ୍ତି ବା ସିଂହବାହିନୀକୁ ଯାଉଛନ୍ତି ପୀୟୁଷ।

ସିଂହବାହିନୀ ଯିବେ ପୀୟୁଷ: ତେବେ ସବୁ ଚର୍ଚ୍ଚା ଆଲୋଚନାର ଅନ୍ତ ଘଟିଲା। ସବୁ ବିବାଦର ସମାଧାନ ହେଲା। ଆଉ ଅଭିନେତା ପୀୟୁଷ ତ୍ରିପାଠୀ ସିଂହବାହିନୀ ଯାତ୍ରାପାର୍ଟିରେ କାମ କରିବା ପାଇଁ ରାଜି ହେଲେ। ଆସନ୍ତା ବର୍ଷଠାରୁ ସୂର୍ଯ୍ୟମନ୍ଦିରରେ ତାଙ୍କର ଏଗ୍ରିମେଣ୍ଟ କାର୍ଯ୍ୟ ସରିବା ପରେ ସେ ସିଂହବାହିନୀରେ କାମ କରିବେ।

ପିୟୁଷ ବିବାଦ: ତେବେ କିଛି ଦିନ ହେବ ସବୁଠାରୁ ଚର୍ଚ୍ଚାରେ ଥିଲା ପୀୟୁଷ ଓ ସଞ୍ଜୀବ ପାଢ଼ୀଙ୍କ ବିବାଦ। ସଞ୍ଜୀବ ପାଢ଼ୀ ସାଂଘାତିକ ଅଭିଯୋଗ ଆଣିଥିଲେ କି ପୂୟୁଷ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଆଉ ଗାଡ଼ି ନେଇ ଯାଇଛନ୍ତି।

କାରଣ ସେ ସିଂହବାହିନୀରେ ଯାତ୍ରା କରିବେ ବୋଲି ଅଗ୍ରିମେଣ୍ଟ କରିଥିବାରୁ ତାଙ୍କୁ ମାଲିକ ଟଙ୍କା ଓ ଗାଡ଼ି ଦେଇଥିଲେ। ହେଲେ ପୀୟୁଷ ସିଂହବାହିନୀରେ କେବେ କାମ କରିବେ ନାହିଁ ବୋଲି ରୋକଠୋକ ଭିଡ଼ିଓ ମାଧ୍ୟମରେ ମନା କରିଦେଇଥିଲେ।

ଯାହାପରେ ଆରମ୍ଭ ହୋଇଥିଲା କାଣ୍ଡ। ଅନେକ ଗଣମାଧ୍ୟମ ଦୁହିଁଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା। ଗତକାଲି ଏକ ଗଣମାଧ୍ୟମରେ ପୀୟୁଷ ନିଜେ କହିଥିଲେ କି ମୁଁ ସବୁଦିନ ପାଇଁ ଯାତ୍ରା ଜଗତ ଛାଡ଼ିଦେବି। ଆଉ ନିନ୍ଦା ସହିପାରିବି ନାହିଁ।

ହେଲେ ଆଜି ଆଉ ଏକ ଗଣମାଧ୍ୟମ ଚ୍ୟାନେଲରେ ଦୁହେଁ ମୁହିଁ ହୋଇଥିଲେ। ଏକାଠି ବସି ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଉ ନିକର୍ଷରେ ସବୁକିଛି ସମାଧାନ ହୋଇଗଲା। ଯାତ୍ରା ଜଗତରେ ରହିବେ ପୀୟୁଷ, ଜାରି ରଖିବେ ଅଭିନୟ।

ସମାଲୋଚନା ପରେ ବିବାଦ ସମାଧାନ କଲେ ଉଭୟ ପକ୍ଷ। ଅଭିନେତା ପୀୟୁଷ ତ୍ରିପାଠୀ ଏବଂ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ସମାଧାନ। ସିଂହବାହିନୀରେ ଅଭିନୟ କରିବାକୁ ରାଜି ହେଲେ ପୀୟୁଷ।