ଲକ୍ଷ୍ୟ ରଖିଥିଲେ କୋଟିଏ, ଟପିଲା ଏକ କୋଟି

ଆଜି ମିଳିଲା ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏହାସହ ଏକ କୋଟି ପାର କଲା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା।

ଭୁବନେଶ୍ୱର: ଲକ୍ଷ୍ୟ ରଖିଥିଲେ କୋଟିଏ। ହେଲେ ଟପିଲା ଏକ କୋଟି। ଆପଣ ଭାବୁଛନ୍ତି କି ଆମେ କାହା ବିଷୟରେ ଆଲୋଚନା କରୁଛୁ। ଆମେ ଆଉ କୌଣସି କଥା ନୁହେଁ ବରଂ ଘରେ ଘରେ ପରିଚିତ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନା କରୁଛୁ।

ଯାହାକି ଆଜି ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ସହ ଏକ କୋଟି ପାର କରିଛି। ଅର୍ଥାତ୍ ଆଜିର କିସ୍ତି ପାଇବା ପରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି। ପୂର୍ବରୁ ସରକାର କୋଟିଏ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଏବେ ସେହି ଟଙ୍କା କୋଟିଏ ପାର କରିଛି। ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ।

ସୁଭଦ୍ରା କିସ୍ତି: ତେବେ ଆଜି ଅର୍ଥାତ୍ ମାର୍ଚ୍ଚ ୬ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ସରକାର।

ପୂର୍ବରୁ ମଧ୍ୟ ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ପାଇଥିଲେ ସୁଭଦ୍ରା ଟଙ୍କା। ଏହାକୁ ଲଗେଇ ଏକ କୋଟି ପାର ହୋଇଛି ହିତାଧିକାରୀଙ୍କ ସଂଖ୍ୟା। ଏହାସହ ଆଉ ଗୋଟିଏ ଦିନ ପରେ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ଅବସରରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରିବେ ସରକାର।

ଆବେଦନ ଶେଷ ତାରିଖ: ଏତିକିରେ ସରିନି ଟଙ୍କା ବଣ୍ଟା। ସରକାରଙ୍କ ଘୋଷଣା ଅନୁସାରେ, ଆହୁରି ତିନୋଟି କିସ୍ତି ବାକି ଅଛି। ପ୍ରତି ୬ ମାସରେ ଥରେ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା। ଆଉ ଯେଉଁମାନେ ଏଯାଏଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ଡପାଇନାହାନ୍ତି।

ସେମାନଙ୍କ ପାଖରେ ଆହୁରି ମଧ୍ୟ ସୁଯୋଗ ରହିଛି। ମାର୍ଚ୍ଚ ୩୧ ତାରିଖ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ। ଯେଉଁମାନେ ଟଙ୍କା ପାଇନାହାନ୍ତି ଏହି ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ। ଏବଂ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହାସହ ସରକାର ମଧ୍ୟ ନିଜେ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରିବେ। ଏବଂ ଟଙ୍କା ଦେବେ।