ଭୁବନେଶ୍ବର: ଘାଟାରେ ଚାଲୁଛି OSRTC । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ରହିଛି ୧୮୩ କୋଟି ୬ ଲକ୍ଷ ଟଙ୍କା ।
ମନ୍ତ୍ରୀଙ୍କ କହିବା ଅନୁସାରେ, ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ବିଧାନସଭାରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।
୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି । ସେହିଭଳି ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ଏନେଇ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ସେହିପରି ପରିବହନ ବିଭାଗର ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିଛି । ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ । ସେଥିରୁ ୧୦୯ଟି ବସ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଅଚଳ । ବିଧାନସଭାରେ ପରିବହନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି ।