ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି । ଋଷ ୟୁକ୍ରେନର ସୁମିରେ ଏକ ବିପଜ୍ଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି, ଯାହା ସୁମିରେ ବ୍ୟାପକ ଧ୍ୱଂସ ଘଟାଇଛି । ଏହି ଆକ୍ରମଣରେ ଅତି କମରେ 21 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଋଷର କ୍ଷେପଣାସ୍ତ୍ରଗୁଡ଼ିକ ସହରର ରାସ୍ତା, ସାଧାରଣ ଜୀବନ – ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାରଗୁଡ଼ିକୁ ଟାର୍ଗେଟ କରିଛି । ରବିବାର ଦିନ ଲୋକମାନେ ଚର୍ଚ୍ଚକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।
ଏହି ଆକ୍ରମଣକୁ ଋଷ-ୟୁକ୍ରେନ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଭାବରେ ବିବେଚନା କରାଯାଉଛି, ଯାହା ପରେ ଯୁଦ୍ଧ ଅଧିକ ବିପଜ୍ଜନକ ରୂପ ନେଇପାରେ ବୋଲି କୁହାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରାୟ 21 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଡଜନ ଡଜନ ଆହତ ହୋଇଛନ୍ତି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଜେଲେନସ୍କିଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିଶ୍ୱକୁ କଡ଼ା ଜବାବ ଦେବା ଉଚିତ । ଆମେରିକା, ୟୁରୋପ, ବିଶ୍ୱର ପ୍ରତ୍ୟେକ ଲୋକ ଯେଉଁମାନେ ଏହି ଯୁଦ୍ଧ ଏବଂ ଏହି ହତ୍ୟାକାଣ୍ଡକୁ ସମାପ୍ତ କରିବାକୁ ଚାହାଁନ୍ତି । ଋଷ ଉପରେ ଚାପ ବିନା ଶାନ୍ତି ଅସମ୍ଭବ । ଆଲୋଚନା କେବେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଆକାଶ ବୋମା ବନ୍ଦ କରିନାହିଁ ।
ସୋସିଆଲ ମିଡିଆରେ ଧ୍ୱଂସାବଶେଷ ଫଟୋ ଭାଇରାଲ- ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ କ୍ଷେପଣାସ୍ତ୍ର ଦ୍ୱାରା ହୋଇଥିବା ବ୍ୟାପକ ଧ୍ୱଂସ ସ୍ପଷ୍ଟ ଭାବରେ ଦେଖାଯାଉଛି । ଯେଉଁଥିରେ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି ଏବଂ ସାଧାରଣ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣ ଗତ ମାସରେ ସାଉଦି ଆରବରେ ଅନୁଷ୍ଠିତ ଏକ ବୈଠକରେ ସକାରାତ୍ମକ ନିଷ୍କର୍ଷରେ ପହଞ୍ଚିଥିବା ଯୁଦ୍ଧବିରତି ଆଲୋଚନାକୁ କ୍ଷତିଗ୍ରସ୍ତ କରିଛି ।