୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ
ପାଗେଳି ହୋଇଗଲାଣି ପ୍ରଶାନ୍ତଙ୍କ ସ୍ତ୍ରୀ। ସ୍ୱାମୀର ହାତକୁ ଧରି କ'ଣ ସବୁ କହିଯାଉଛି। ଆଉ ନିଜ ପିନ୍ଧା ଲୁଗାରେ ସ୍ୱାମୀର ରକ୍ତ ଭିଜା ମୁହଁକୁ ପୋଛି ପକାଉଛି।
ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ’ଣ କହୁଛି କ’ଣ କରୁଛି କିଛି ଜାଣିପାରୁନି। ଖାଲି ସ୍ୱାମୀର ହାତ ଧରି ଇଆଡୁ ସିଆଡୁ କ’ଣ ଗୁଡ଼ାଏ କହିଯାଉଛି। ନିଜ ପିନ୍ଧା ଲୁଗାରେ ସ୍ୱାମୀର ରକ୍ତ ଭିଜା ମୁହଁକୁ ପୋଛି ଦେଉଛି।
ଆଉ ଏହି ଦୃଶ୍ୟକୁ ଦେଖିଲେ କିଏ ବା ଧର୍ଯ୍ୟ ଧରି ରହିପାରିବ। ସେପଟେ ପ୍ରଶାନ୍ତଙ୍କ ୯ ବର୍ଷର ଛୋଟ ପୁଅ। ବାପାକୁ ଦେଉଛି ଅନ୍ତିମ ବିଦାୟ। କେତେ ବା ବୟସ ତା’ର। କିଛି ଜାଣନି। ହେଲେ ବିଧି ବିଧାନ ଅନୁସାରେ ବାପାର ଅନ୍ତିମ କ୍ରିୟା କରୁଛି।
ବାପା ପ୍ରଶାନ୍ତଙ୍କ ଶବ ଆଗେ ଆଗେ ଖଈ କୋଉଡ଼ି ବିଞ୍ଚି ବିଞ୍ଚି ବାପାକୁ ମଶାଣିକୁ ନେଇ ଯାଉଛି। ସେ ବୁଝି ପାରୁନି, କି ତା ବାପାଙ୍କ ହାତ ସବୁଦିନ ପାଇଁ ତା ମୁଣ୍ଡ ଉପରୁ ଉଠିଯାଇଛି। ନା କିଛି କହିୁ ପାରୁଛି ନା କିଛି ବୁଝି ପାରୁଛି। ଖାଲି ବଲ ବଲ କରି ସମସ୍ତଙ୍କ ମୁହଁଙ୍କୁ ଚାହିଁ ରହୁଛି।
ଆପଣମାନେ ନିଜେ କହିଲେ ଏ କେମିତିକା ହୃଦୟ ବିଦାରକ ଦୃଶ୍ୟ। ଯିଏ ଦେଖୁଛି ନିଜ କୋହକୁ ସମ୍ଭାଳିପାରୁନି। ହଁ ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତଙ୍କୁ ଆଜି ଶେଷ ବିଦାୟ ଦିଆଯାଉଛି।
ଆଉ ଶେଷଯାତ୍ରାରେ ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ଜନ୍ମମାଟି ବାଲେଶ୍ୱର ଇସାଣୀରେ ଶେଷଯାତ୍ରାରେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ଶେଷଯାତ୍ରାରେ ଜନସମୁଦ୍ର। ଶେଷଯାତ୍ରାରେ ସାମିଲ ହୋଇଛନ୍ତି ମୁଖ୍ୟନନ୍ତ୍ରୀ ମୋହନ ଚରଣ ମାଝୀ।